ସମ୍ବଲପୁର, ୦୫/୦୪: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ। କେତେବେଳେ ବିସ୍ଫୋରକ ବୟାନ ଦେଇ ବିବାଦ ଘେରରେ ଫସୁଛନ୍ତି ତ କେତେବେଳେ ବିଧାୟକଙ୍କ ସହ ମୁହାଁମୁହିଁ ହୋଇ। ଏଥର ଥାନା ପୋଡି ଦେବାକୁ ଧମକ ଦେଇ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ଜୟନାରାୟଣ ମିଶ୍ର। ସମ୍ବଲପୁର ଟାଉନ ଥାନା ପୋଡି ଦେବାକୁ ଥାନା ଅଧିକାରୀଙ୍କୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏ ନେଇ ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର ଏକ ଅଭିଯୋଗ ଦାୟର କରିଛନ୍ତି।
ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ପୂର୍ବରୁ ଗତ ୨ ତାରିଖ ବୁଧବାର ସନ୍ଧ୍ୟାରେ ବିନା ଅନୁମତିରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରୁଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ। ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓକୁ ପ୍ରମାଣ କରି ତାହା ଆଧାରରେ ପୋଲିସ ଖଣ୍ଡା ଜବତ କରିବା ସହ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ନେଇ ଜୟନାରାୟଣ ମିଶ୍ର ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ଏବଂ ଥାନା ପୋଡିବା ସହ ସମସ୍ତଙ୍କୁ ମାରି ଦେବା ପାଇଁ ଦେଇଛନ୍ତି ଧମକ। ଏପ୍ରିଲ ୩ ତାରିଖ ସକାଳ ୮ଟା ୫୩ମିନିଟରେ ଆଇଆଇସି ମେହେରଙ୍କ ସହ ଏସଆଇ ଆଶିଷ କୁମାର ପ୍ରଧାନ ଓ ଏଏସଆଇ ପଦ୍ମନାଭ ପୁରୋହିତଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଆଗାମୀ ଜନୁମାନ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଜୟନାରାୟଣ ମିଶ୍ର ବିରୋଧୀ ବିଜୁ ଜନତା ଦଳ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ କରିବା ସହ ଆଇଆଇସିଙ୍କୁ ଗାଳିଗୁଲଜ କରିଥିଲେ। ଅଧିକାରୀଙ୍କୁ ଥାନାରେ ଗୁଳି ମାରିବାକୁ ଧମକ ମଧ୍ୟ ଦେଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ବିଧାୟକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ପୋଲିସ ଅଧିକାରୀ।