ଶ୍ରୀଲଙ୍କାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ମିତ୍ର ବିଭୂଷଣ’ରେ ସମ୍ମାନିତ ପ୍ରଧାନମନ୍ତ୍ରୀ
ଭାରତ-ଶ୍ରୀଲଙ୍କା ମଧ୍ୟରେ ୭ ଚୁକ୍ତି ସ୍ବାକ୍ଷରିତ
ନୂଆଦିଲ୍ଲୀ, ୦୫/୦୪: ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ତିନି ଦିନିଆ କଲମ୍ବୋ ଗସ୍ତରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ୱାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ଶ୍ରୀଲଙ୍କାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶନିବାର ଶ୍ରୀଲଙ୍କାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ସମ୍ମାନିତ କରାଯାଇଥିବା ଏହା ୨୨ତମ ଅନ୍ତର୍ଜାତୀୟ ସମ୍ମାନ।
ଗତବର୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଗସ୍ତ। ସେହିପରି ୨୦୨୪ରେ ଦିସାନାୟକେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବା ପରେ କୌଣସି ବିଦେଶୀ ନେତାଙ୍କ ଦ୍ୱାରା ଏହା ପ୍ରଥମ ଗସ୍ତ।
ମୋଦିଙ୍କ ଗସ୍ତରେ ପ୍ରଥମେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭାରତ ମହାସାଗର ଅଞ୍ଚଳରେ ଚୀନର ପ୍ରଭାବ ବିସ୍ତାର ହେବା ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ଡିଜିଟାଲ୍ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ୭ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଟ୍ରିଙ୍କୋମାଲିରେ ୧୨୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ଲାଣ୍ଟ ପାଇଁ ଭାରତର ଜାତୀୟ ତାପଜ ଶକ୍ତି ନିଗମ ଏବଂ ଶ୍ରୀଲଙ୍କାର ସିଲୋନ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ମିଳିତ ଉଦ୍ୟୋଗରେ ସ୍ୱାକ୍ଷରିତ ହୋଇଛି। ଟ୍ରିଙ୍କୋମାଲିକୁ ଶକ୍ତି କେନ୍ଦ୍ର ଭାବେ ବିକଶିତ କରିବାକୁ ଏହି ଚୁକ୍ତି ସହାୟକ ହେବ। ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି ଶ୍ରୀଲଙ୍କା। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଏହି ବୁଝାମଣା ଦ୍ୱାରା ନୂଆଦିଲ୍ଲୀ ଓ କଲମ୍ବୋ ମିଳିତ ସାମୁଦ୍ରିକ ନିରୀକ୍ଷଣ ଏବଂ ସାମରିକ ଅଭ୍ୟାସ କରିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦ୍ୱିପାକ୍ଷିକ ଋଣ ପୁନର୍ଗଠନ ଚୁକ୍ତି ଶ୍ରୀଲଙ୍କାର ଜନସାଧାରଣଙ୍କ ପାଇଁ ସହାୟକ ହେବ। ଆଜି ଆମେ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ। ଆଜି ବି ଭାରତ ଶ୍ରୀଲଙ୍କା ବାସୀଙ୍କ ସହ ଛିଡ଼ା ହୋଇଛି। ଶ୍ରୀଲଙ୍କାର ପୂର୍ବ ରାଜ୍ୟଗୁଡ଼ିକର ବିକାଶ ପାଇଁ ପାଖାପାଖି ୨.୪ ବିଲିୟନ ଲଙ୍କା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଭାରତୀୟ ଶାନ୍ତି ରକ୍ଷା ବାହିନୀ ସ୍ମାରକୀକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ତାଜ୍ ସମୁଦ୍ର ହୋଟେଲ ଯିବାର କାର୍ଯ୍ୟକ୍ରମ ରହିଛି।