୩.୫୦ କୋଟି ପରିବାରକୁ ମିଳିବ ଆୟୁଷ୍ମାନ କାର୍ଡ

ବରିଷ୍ଠଙ୍କ ପାଇଁ ‘ବୟୋ ବନ୍ଦନ କାର୍ଡ’

ଭୁବନେଶ୍ୱର, ୦୫/୦୪: ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ୧୧ ତାରିଖରେ କଟକ ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।‌ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ପୂର୍ବରୁ ବିଏସକେୱଆଇ କାର୍ଡ ଓଡ଼ିଶା ଓ ଓଡ଼ିଶା ବାହାର ୯୦୦ ହସ୍ପିଟାଲରେ ଅନୁବନ୍ଧିତ ଥିଲା। ହେଲେ, ଏବେ ଏହି ନୂଆ କାର୍ଡରେ ରାଜ୍ୟ ତଥା ରାଜ୍ୟ ବାହାରେ ୨୯,୦୦୦ରୁ ଅଧିକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ବୟୋ ବନ୍ଦନ କାର୍ଡ ମିଳିବ। ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏହି ସୁବିଧା କରାଯାଇଛି। ଏହାକୁ ଅନଲାଇନରେ ଡାଉନଲୋଡ କରିପାରିବେ। ଆଶା କର୍ମୀମାନେ ଘରକୁ ଘର ବୁଲି ଏହି କାର୍ଡ ପ୍ରଦାନ କରିବେ। ଯେଉଁମାନେ ସମ୍ଭ୍ରାନ୍ତ ଶ୍ରେଣୀର ହୋଇଥିବେ କିମ୍ବା ଜମି ଥିବ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଏହି କାର୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।