ଭୁଶୁଡୁଛି ଲାଲଗଡ

୮୬ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼, ୦୫/୦୪: ଛତିଶଗଡ଼ର ସୁକମା ଓ ବିଜାପୁର ଜିଲ୍ଲାରେ ସକ୍ରିୟ ଥିବା ୮୬ ଜଣ ମାଓବାଦୀ ଭଦ୍ରାଦ୍ରି କୋଠାଗୁଡେମ୍ ଜିଲ୍ଲାର ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ୨୦ ଜଣ ମହିଳା କ୍ୟାଡରଙ୍କ ସମେତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ତୁରନ୍ତ ୨୫ ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କରାଯାଇଥିଲା।

ଆଜିକୁ ମିଶାଇ ଚଳିତ ବର୍ଷ ଭଦ୍ରାଦ୍ରି କୋଠାଗୁଡେମ ଓ ମୁଲୁଗୁରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସଂଖ୍ୟା ୨୨୪କୁ ବୃଦ୍ଧି ପାଇଛି। ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି।

ଶନିବାର ଆତ୍ମସମର୍ପଣ କରିଥିବା ୮୬ ଜଣଙ୍କ ମଧ୍ୟରେ ୪ ଜଣ ଏରିଆ କମିଟି ସଦସ୍ୟ, ୫ ଜଣ ଦଳୀୟ ସଦସ୍ୟ, ରିଭୋଲ୍ୟୁସନରୀ ପିପୁଲ୍ସ କମିଟି (ଆରପିସି)ର ୮ ଜଣ, ଆରପିସି ମିଲିସିଆର ୨୦ ଜଣ, ଆରପିସି ଦଣ୍ଡକାର୍ୟ ଆଦିବାସୀ ମଜଦୁର କିଷାନ ସଂଘ (ଡିଏକେଏମ୍ଏସ୍/କେଏମ୍ଏସ୍)ର ୨୦ ଜଣ, ଆରପିସି ଚୈତନ୍ୟ ନାଟ୍ୟ ମଣ୍ଡଳୀ (ସିଏନଏମ) ସଦସ୍ୟ ଏବଂ ୯ ଜଣ ଆରପିସି ଗ୍ରାମ ରକ୍ଷା ଦଳ (ଜିଆରଡି) ସଦସ୍ୟ ରହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲା ଗସ୍ତରେ ଆସି ଏକ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ସେ ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଥିଲେ।