ଭୁବନେଶ୍ୱର, ୨୬/୦୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ହିଟ୍ ୱେଭରୁ ସାମାନ୍ୟ ତ୍ରାହି ପାଇବେ ରାଜ୍ୟବାସୀ। ଆଜିଠୁ ୪ ଦିନ ଯାଏଁ ରାଜ୍ୟରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଆଜି ୨୬ ତାରିଖରୁ ଆସନ୍ତା ୩୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଯାହା ଫଳରେ ଆସନ୍ତା ୨ ଦିନ ଯାଏଁ ଦିନର ତାପମାତ୍ରା ୨ରୁ ୫ ଡିଗ୍ରୀ ଯାଏଁ କମ୍ ରହିବ।
ଯଦିଓ କିଛି ଜିଲ୍ଲାରେ ପାଗ ଅପରିବର୍ତ୍ତିତ ରହିବ। ଆସନ୍ତା ୨୪ ଘଣ୍ଟା ଯାଏଁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁରରେ ହିଟ୍ ୱେଭ୍ ଜାରି ରହିବ। ସେହିପରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ଯାଜପୁରରେ ମଧ୍ୟ ହିଟ୍ ୱେଭ୍ ଜାରି ରହିବ। ତାତି ଓ ଆର୍ଦ୍ରତା ଯୋଗୁଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି କାଳବୈଶାଖୀ ପାଇଁ ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବିଜୁଳି, ଘଡଘଡି ଓ ପବନ ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି. ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।