ଆତଙ୍କବାଦୀ ଧର୍ମ ଓ ଜାତିରେ ବନ୍ଧା ନୁହେଁ: ସାଂସଦ ସୁଲତା ଦେଓ
ଦୁଃଖ, କଷ୍ଟ ଓ ବେଦନାକୁ ଉପହାସ କରିବା ଠିକ୍ ନୁହେଁ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ହିନ୍ଦୁ ମୁସଲିମ ଦୃଷ୍ଟିକୋଣରୁ ବିଚାର କରିବା ଭୁଲ: ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର, ୨୬/୦୪: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତାନ ଦେଓ। ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ଅବାନ୍ତର ବୟାନ ଦେଇ ବିବାଦ ଘେରରେ ଫସିଛନ୍ତି ସାଂସଦ ସୁଲତାନ ଦେଓ।
ଏହି ଘଟଣାକୁ ତାତ୍ସଲ୍ୟ କରି ସେ କହିଛନ୍ତି ଯେ, ଏହି ଆକ୍ରମଣ ଯେତିକି ସମୟ ଭିତରେ ହୋଇଛି ଓ ଯେତିକି ସମୟ ଭିତରେ ଲୋକେ ମରିଛନ୍ତି ସେତିକି ସମୟରେ କାହାର ଧର୍ମ ପଚାରି ହେବନାହିଁ। କୌଣସି ବି ଆତଙ୍କବାଦୀ ଧର୍ମ ଓ ଜାତି ମଧ୍ୟରେ ବନ୍ଧା ନୁହେଁ।
ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ସମସ୍ତ ପୀଡ଼ିତ ମାନେ ଧର୍ମ ବିଷୟରେ ପଚାରି ଗୁଳି କରିଥିବା କହୁଥିବା ବେଳେ ସାଂସଦଙ୍କ ଏପରି ବୟାନ ଖୁବ ଆଶ୍ଚର୍ଯ୍ୟଜନକ ଲାଗୁଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସାରା ଦେଶ ମୃତକଙ୍କ ପରିବାର ସହ ଏକାଠି ରହି ସ୍ବାନ୍ତନା ଦେଉଥିବାବେଳେ ସୁଲତାଙ୍କ ଏହି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ ସାଂସଦ ସୁଲତାନ ଦେଓଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଉଛି। ପୀଡ଼ିତଙ୍କ ପ୍ରତି ଏହା ସୁଲତାଙ୍କ ଉପହାସ ବୋଲି କହିଛନ୍ତି ବିଭିନ୍ନ ରାଜନେତା।
ସୁଲତାଙ୍କ ମନ୍ତବ୍ୟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜନୀତିରେ ମଣିଷର ହୃଦୟକୁ ନେଇ ରାଜନୀତି କରାଯାଏ। କାହାର ଦୁଃଖ, କଷ୍ଟ ଓ ବେଦନାକୁ ଉପହାସ କରୁଥିବା ବ୍ୟକ୍ତି ରାଜନୀତିରେ ରହିବା ଯୋଗ୍ୟ ନୁହେଁ। ଯେଉଁମାନେ ଅମଣିଷ ଭାବେ ଏଭଳି କଥା କହୁଛନ୍ତି ସେମାନେ ଏତେ ବଡ଼ ହୃଦୟ ବିଦାରକ ଘଟଣା ଘଟିବା ପରେ ସମଗ୍ର ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏଥିରେ ଚହଲିଯିବା ଘଟଣା ଘଟିବା ପରି ସମସ୍ତ କଦର୍ଯ୍ୟ ଓ କୁସ୍ଚିତ ମାନସିକତା ଭଳି କଥା କହିବେ ତାଙ୍କୁ ଧନ୍ୟ, ତାଙ୍କ ନେତାଙ୍କୁ ଧନ୍ୟ ଓ ତାଙ୍କ ଦଳକୁ ଧନ୍ୟ। ଏଭଳି କୁସ୍ଚିତ ମାନସିକତା ରଖୁଥିବା ଲୋକଙ୍କୁ ଲୋକମାନେ ସବୁଦିନ ପାଇଁ ପ୍ରତ୍ୟାଖ୍ୟାନ କରିଦେବାର ଆବଶ୍ୟକତା ରହିଛି।
ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏଭଳି ଘଟଣାକୁ ହିନ୍ଦୁ ମୁସଲିମ ଦୃଷ୍ଟିକୋଣରୁ ବିଚାର କରିବା ଭୁଲ ହେବ। ଜଣେ ମୁସଲିମଙ୍କର ମଧ୍ୟ ସେଠାରେ ମୃତ୍ୟୁ ହୋଇଛି। ତେଣୁ ଏହା ଏକ ଜାତୀୟ ସଙ୍କଟ। ସମଗ୍ର ଦେଶ ଏଥିରେ ଏକତ୍ରିତ ହୋଇଛନ୍ତି। ଏଥିରେ କୌଣସି ମତପାର୍ଥକ୍ୟ ନାହିଁ। ଆମେ ଆଶା କରୁଛୁ ସରକାର ଏଥିରେ ଦୃଢ଼ ପଦକ୍ଷେପ ନେବେ।
ବିଜେଡ଼ି ନେତା ଅରୁଣ ସାହୁ କହିଛନ୍ତି, କେନ୍ଦ୍ର ସରକାର ସର୍ବଦଳୀୟ ବୈଠକରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କହିଛନ୍ତି, ସେଥିରେ ଆମେ ସମସ୍ତେ ରାଜି। ଏଥିରେ ଆପତ୍ତି କରିବାର କୌଣସି କଥା ନାହିଁ।
ବିଜେଡ଼ିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦେଶର ସାର୍ବଭୌମତ୍ୱ ପାଇଁ ସମସ୍ତେ ଏକ। ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେ ପ୍ରତି ଧ୍ୟାନ ଦେବା ଉଚିତ୍। ସେହିପରି କାଶ୍ମୀରୀ ବାସୀମାନଙ୍କ ଯେଉଁ ଆର୍ଥିକ ସ୍ଥିତି ଉପରେ ପ୍ରହାର ହୋଇଛି ସେ ନେଇ କେନ୍ଦ୍ର ସରକାର ଆଗେଇ ଆସିବା ଉଚିତ୍।