ହିଟ୍ ଲିଷ୍ଟରେ ୧୪ ଆତଙ୍କୀ

ଯେଉଁଠି ଥିଲେ ବି ଖୋଜି ବାହାର କରିବେ

ନାଁ ଓ ଫଟୋ‌ ଧରି ଖୋଜୁଛନ୍ତି ସୁରକ୍ଷାବାହିନୀ

ନୂଆଦିଲ୍ଲୀ, ୨୬/୦୪: ଭାରତର ଜମ୍ମୁ-କାଶ୍ମୀରର ପହଲଗାମରେ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ଭାରତୀୟ ସେନା। ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ନିଜ ଦେଶର ଆତଙ୍କବାଦୀଙ୍କୁ ମଧ୍ୟ ଖୋଜି ଖୋଜି ବାହାର କରିବାକୁ ତତ୍ପର ସେନା। ଗୁଇନ୍ଦା ବିଭାଗ ପକ୍ଷରୁ ଏ ନେଇ ଦେଶର ୧୪ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରାଯାଇଛି‌।

ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ନିଜ ଦେଶର ଲୋକଙ୍କୁ ଟାର୍ଗେଟ କରି ଏହି ୧୪ ଜଣ ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ଭୂମିକା ରହିଛି। ଏହି ୧୪ ଆତଙ୍କବାଦୀ ପହଲଗାମ ଆକ୍ରମଣରେ ସାମିଲ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିଲେ। ଏପରିକି ସ୍ଥାନୀୟ ଅଞ୍ଚଳ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।

ଗୁଇନ୍ଦା ଏଜେନ୍ସି ପ୍ରସ୍ତୁତ କରିଥିବା ଏହି ୧୪ ଜଣ ଆତଙ୍କବାଦୀଙ୍କ ନାଁ ସହ ଫଟୋ ଧରି ଖୋଜୁଛି ସେନା। ଏମାନଙ୍କ ଫଟୋ ଧରି ଘରକୁ ଘର ବୁଲି ସବୁ ଗଳିକନ୍ଦି ବୁଲୁଛନ୍ତି ସୁରକ୍ଷା ବାହିନୀ। ଯେଉଁଠି ଏମାନେ ନଜର ଆସିବେ ସେହିଠାରେ ହିଁ ଏମାନଙ୍କୁ ଗୁଳି ମାରିବେ।

ସେହିପରି ସ୍ଥାନୀୟ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ୫ ଜଣ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ସ୍ଥାନୀୟ ସମର୍ଥନ ଏବଂ ପାଣ୍ଠି ଯୋଗାଣକୁ ରୋକିବା ଲକ୍ଷ୍ୟରେ ଓ ପହଲଗାମ ଆକ୍ରମଣର ପ୍ରତିଶୋଧରେ ଏହି ଅପରେସନର ଆରମ୍ଭ କରାଯାଇଛି।