ସାବଧାନ! ପୁରୀରେ ଆନ୍ତଃରାଜ୍ୟ ଠକ
ନୀଳାଦ୍ରି ଭକ୍ତ ନିବାସ ନାମରେ ନକଲି ୱେବସାଇଟ କରି ଠକୁଥିଲେ
ଗିରଫ କଲା କ୍ରାଇମବ୍ରାଞ୍ଚ୍
ପୁରୀ, ୨୮/୦୪: ପୁରୀର ନୀଳାଦ୍ରି ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗ ଆଧାରରେ ଏହି ଠକେଇ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ମୁତାବକ ଅଭିଯୁକ୍ତ ମାନେ http://neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ଖୋଲି ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ। ଏହି ଠକେଇ ପାଇଁ କାନାରା ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର କରୁଥିଲେ ଏହି ଠକ। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ http://shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଗଣ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।