ଭୁବନେଶ୍ୱର: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା । ଶାସ୍ତ୍ରୀନଗର ଘରେ ସିନ ରିକ୍ରେସନ୍ କରିବ ପୋଲିସ୍ । ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଛି ଲାଷ୍ଟ ସିନ । ସନ୍ଦେହରୁ ଝଗଡ଼ା । ପରେ ଆତ୍ମହତ୍ୟା । ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁର ଏମିତି ତଥ୍ୟ ରଖିଛି କମିଶନରେଟ୍ ପୁଲିସ୍ । ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଥିଲା ଚିତ୍ତରଞ୍ଜନ ଜେନା ଓରଫ ବାବୁନା ।
ଅନ୍ୟ ଯୁବକଙ୍କ ସହ ଦେଖି ଶୁଭଶ୍ରୀଙ୍କୁ ସନ୍ଦେହ ନଜରରେ ଦେଖିLfଲା ଚିତ୍ତ । ଆଉ ପ୍ରବଳ ଝଗଡ଼ା ସହ ମାର୍ଧର୍ ବି କରୁଥିଲା । ଯାହାକୁ ସହିନପାରି ଶୁଭଶ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ଡିସିପି ପ୍ରତୀକ ସିଂ କହିଛନ୍ତି, ଆତ୍ମହତ୍ୟା ପାଇଁ ଉସ୍କେଇବା, ମାର୍ଧର୍ କରିବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି ।
ମାମଲାରୁ ଆଇପିସି ଦଫା ୩୦୨(ହତ୍ୟା) ହଟାଇ ଚିତ୍ତ ନାଁରେ ୩୦୬(ଆତ୍ମହତ୍ୟା ପାଇଁ ପ୍ରରୋଚନା), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଯାଇଛି । ତା’ଠାରୁ ଏକ ସ୍କୁଟି, ମୋବାଇଲ୍ ଫୋନ୍ ଓ ଖୋର୍ଦ୍ଧା ବାଇପାସ୍ରୁ ଆତ୍ମହତ୍ୟାରେ ବ୍ୟବହୃତ ଓଢ଼ଣୀ ଜବତ କରାଯାଇଛି ।
ପଡ଼ୋଶୀଙ୍କୁ ପଚରାଉଚରା ସହ ସାଇଣ୍ଟିଫିକ୍ ଟିମ୍ର ତଥ୍ୟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ତର୍ଜମା କରାଯାଇଥିଲା । ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସୂଚନା ମିଳିଥିଲା । ମୃତ୍ୟୁ ପୂର୍ବରୁ ଶୁଭଶ୍ରୀଙ୍କୁ ମାର୍ଧର୍ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା । ଅଧିକ ଜେରା ପାଇଁ ଚିତ୍ତକୁ ରିମାଣ୍ଡରେ ଆଣିବାକୁ ଅଦାଲତରେ ଆବେଦନ କରାଯିବ ।