ନିଟ ପରୀକ୍ଷା ଜାଲିଆତିର ପର୍ଦ୍ଦାଫାଶ କଲା କମିଶନରେଟ୍ ପୁଲିସ
ମେଡିକାଲ ସିଟ୍ ପାଇଁ ଡିଲ୍ କରୁଥିଲେ ଦଲାଲ: ପହଞ୍ଚିଗଲା ପୋଲିସ
୯୦ ଲକ୍ଷ ଟଙ୍କାର ଚେକ ଓ ପୁଳା ପୁଳା ଆଡମିଟ୍ କାର୍ଡ ଜବତ
ଭୁବନେଶ୍ୱର, ୦୩/୦୫: ମେ’ ୪ତାରିଖରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି ୨୦୨୫ର ଠିକ୍ ଗୋଟିଏ ଦିନ ପୂର୍ବରୁ କମିସନରେଟ୍ ପୁଲିସକୁ ମିଳିଛି ବଡ଼ ସଫଳତା। ନିଟ ଠକେଇର ପର୍ଦ୍ଦାଫାଶ କରିଛି ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସ ହାତରେ ଧରା ପଡ଼ିଛନ୍ତି ୪ ଠକ।
ଘରୋଇ ମେଡିକାଲ କଲେଜରେ ଆଡ଼ମିଶନ କରାଇ ଦେବା ପାଇଁ କହି ଆଶାୟୀ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ନେଇ ଠକେଇ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ବିହାର ଓ ଅନ୍ୟ ଜଣେ ଝାଡ଼ଖଣ୍ଡ ନିବାସୀ ହୋଇଥିବା ବେଳେ ୨ ଜଣ ଓଡ଼ିଶାର ଅଟନ୍ତି। ପାତ୍ରପଡା ସ୍ଥିତ ଏକ ବାରରେ ଯୋଜନା ଚଳାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ୯୦ ଲକ୍ଷ ଟଙ୍କାର ଚେକ୍ ଓ ଏକ ବ୍ଲାଙ୍କ ଚେକ୍ ଜବତ କରାଯାଇଛି। ଏହା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ ବହୁ ମୋବାଇଲ ଜବତ କରିଛି ପୋଲିସ। ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ସେମାନଙ୍କ ପାଖରୁ ମିଳିଛି। ସେମାନେ ଅସଲି ପରୀକ୍ଷାର୍ଥୀଙ୍କ ବଦଳରେ ନକଲି ପରୀକ୍ଷାର୍ଥୀ ବସିବାକୁ କହି ଟଙ୍କା ନେଉଥିଲେ।