ଯୁଦ୍ଧ ପାଇଁ ଆଗୁଆ ପ୍ରସ୍ତୁତି

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ପାକ୍

ନୂଆଦିଲ୍ଲୀ, ୦୩/୦୫: ଭାରତ ସହ ଉତ୍ତେଜନା ବଢ଼ୁଥିବା ବେଳେ ପାକିସ୍ତାନ ଶନିବାର ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଭୂପୃଷ୍ଠରୁ ଭୂପୃଷ୍ଠ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି। ‘ଅବ୍ଦାଲି ୱିପନ୍ ସିଷ୍ଟମ୍’ ନାମରେ ଏହି କ୍ଷେପଣାସ୍ତ୍ରର ସାମରିକ ଅଭ୍ୟାସ ‘ଅଭ୍ୟାସ ଇଣ୍ଡସ’ର ଏକ ଅଂଶ ଭାବରେ ପରୀକ୍ଷଣ କରାଯାଇଥିଲା ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି।

ପାକିସ୍ତାନର ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରିଚାଳନା କରୁଥିବା ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ (ଏଏସଏଫସି) ଅଧୀନରେ ଏହି ପରୀକ୍ଷଣ କରାଯାଇଛି।

ଏହି ପ୍ରଶିକ୍ଷଣ ଉତକ୍ଷେପଣ ସମୟରେ କମାଣ୍ଡର ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ, ଷ୍ଟ୍ରାଟେଜିକ ପ୍ଲାନ୍ ଡିଭିଜନ, ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀଙ୍କ ସମେତ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।

ଅନ୍ୟପଟେ ସୂତ୍ରରୁ ପ୍ରକାଶ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅନେକ କୂଟନୈତିକ ପ୍ରତିଶୋଧ ପରେ ପାକିସ୍ତାନ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ନିକ୍ଷେପ କରିବ ବୋଲି ଧମକ ଦେଇ ଆସୁଥିଲା। ସେହିପରି ଆତଙ୍କିତ ଅବସ୍ଥାରେ ଥିବା ପାକିସ୍ତାନୀ ସେନା ମଧ୍ୟ ଏଲଓସି ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।