ଦୀଘାରେ ସ୍ଥାପିତ ଜଗନ୍ନାଥ ମନ୍ଦିର ‘ଧାମ’ ନୁହେଁ: ଗଜପତି ମହାରାଜା ଦିବ୍ୟସିଂହ ଦେବ
ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇ ପାରିବା ନାହିଁ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୦୫/୦୫: ପଶ୍ଚିମବଙ୍ଗରେ ନୂତନ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ତେଜୁଛି ବିବାଦ। ବିବାଦ ଭିତରେ ପୁରୀର ଗଜପତି ମହାରାଜା ଦିବ୍ୟ ସିଂହ ଦେବ ମୁହଁ ଖୋଲିଛନ୍ତି। ସୋମବାର ଏକ ବିବୃତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ ନିକଟରେ ଦୀଘାରେ ଉଦଘାଟିତ ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଗଜପତି ମହାରାଜା କହିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ପୀଠ ହେଉଛି କେବଳ ପୁରୁଷୋତ୍ତମ କ୍ଷେତ୍ର। ଯାହା ଓଡ଼ିଶାର ପୁରୀରେ ରହିଛି ଓ ଏହାକୁ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ନାମ ‘ଜଗନ୍ନାଥ ଧାମ’ ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ରଖାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ। ଏ ନେଇ ୩ ମେ ୨୦୨୫ରେ ଆମେ ମୁକ୍ତି ମଣ୍ଡପ ପଣ୍ଡିତ ସଭାକୁ ଚିଠି ଲେଖି ଏ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କଲୁ। ମେ’ ୪ ଏ ସଂକ୍ରାନ୍ତରେ ଆମେ ଉତ୍ତର ପାଇଲୁ। ମୁକ୍ତି ମଣ୍ଡପ ପଣ୍ଡିତ ସଭା ଉତ୍ତର ଦେଇଥିଲା ଯେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅନ୍ୟତ୍ର ସ୍ଥାପନା କରାଯାଇପାରିବ, କିନ୍ତୁ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’, ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର’ କିମ୍ବା ‘ନୀଳାଚଳ ଧାମ’ ନାମରେ ନାମିତ କରାଯାଇପାରିବ ନାହିଁ।”
ଏହା ପୂର୍ବରୁ ଷୋମବାର ଅପରାହ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିକାରୀମାନେ ଦୀଘା ମନ୍ଦିର ବିବାଦକୁ ନେଇ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଦୀଘା ଜଗନ୍ନାଥ ମନ୍ଦିରରେ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣରେ ବଳକା ଦାରୁ କାଠ ବ୍ୟବହାର କରାଯାଇଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି। ବଳକା ଦାରୁରେ ଜଗନ୍ନାଥଙ୍କର ଅଢେଇ ଫୁଟର ମୂର୍ତ୍ତି ତିଆରି କରାଯାଇ ପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଦଇତାପତି ନିଯୋଗ ସମ୍ପାଦକ ରାମଚନ୍ଦ୍ର ଦାସ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ମାଗିଛି ଏବଂ ୭ ଦିନ ମଧ୍ୟରେ ଜବାବ ମାଗିଛି ବୋଲି ମନ୍ତ୍ରୀ କହିଛନ୍ତି।