ଭୁବନେଶ୍ୱର, ୧୦/୦୫: ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଅପରେସନ୍ ସିନ୍ଦୂରକୁ ନେଇ ଓଡ଼ିଶା ଉପକୂଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାରି ହୋଇଛି ହାଇ ଆଲର୍ଟ। ଏ ନେଇ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ପାରାଦୀପ ବନ୍ଦରରେ ଏକ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା, ଯେଉଁଥିରେ ନିଷିଦ୍ଧ ଅଞ୍ଚଳରେ ସାଇରନ୍ ଶୁଣାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ସମୟରେ କିପରି ମୁକାବିଲା କରିବା ସେ ନେଇ ଅଭ୍ୟାସ କରାଯାଇଥିଲା।
ଏହା ସହ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ସାମୁଦ୍ରିକ କର୍ମଚାରୀ, ସୁରକ୍ଷା, ଡକ୍ କର୍ମଚାରୀ, ଇଞ୍ଜିନିୟର, ଲଜିଷ୍ଟିକ୍ ଓ ସପୋର୍ଟ ଷ୍ଟାଫଙ୍କ ସମେତ ବନ୍ଦର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ଛୁଟି ବାତିଲ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ। ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି। “ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହିତ କରିବାକୁ ଆମେ ସର୍ବଦା ତତ୍ପର। ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆମେ ସଦା ସର୍ବଦା ସଜାଗ। ଜନସାଧାରଣଙ୍କ ସୁରକ୍ଷା, ଆମର ପ୍ରାଥମିକତା।” ବୋଲି ଓଡିଶା ପୋଲିସ କହିଛି।