ନୂଆଦିଲ୍ଲୀ, ୧୦/୦୫: ବନ୍ଦ ହେଲା ଭାରତ ପାକିସ୍ତାନ ଯୁଦ୍ଧ। ଭାରତ ପାକ୍ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିବା ପରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି। ଭାରତ ଓ ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରରେ ଆଲୋଚନା କରି ଶନିବାର ଅପରାହ୍ନ ୫ଟାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ଗୁଳିଚାଳନା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହୋଇଛନ୍ତି ବୋଲି ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଘୋଷଣା କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ମଧ୍ୟସ୍ଥତାରେ ଆଲୋଚନା ପରେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ଏକ୍ସରେ ଘୋଷଣା କରିବା ପରେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଏହି ଘୋଷଣା କରିଛନ୍ତି।
“ଆଜି ଅପରାହ୍ନ ୩ଟା ୩୫ରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମ୍ଓଙ୍କୁ ଫୋନ୍ କରିଥିଲେ। ଶନିବାର ପୂର୍ବାହ୍ନ ୫ଟାରୁ ଉଭୟ ପକ୍ଷ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ଗୁଳିଚାଳନା ଓ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ ବୋଲି ଉଭୟଙ୍କ ମଧ୍ୟରେ ସହମତି ହୋଇଥିଲା। ଏହି ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟାରେ ଡିଜିଏମ୍ଓମାନେ ପୁଣି ଥରେ ଆଲୋଚନା କରିବେ ବୋଲି ମିସ୍ରୀ କହିଛନ୍ତି।