ଦୋଷୀ ସାବ୍ୟସ୍ତ ହେଲେ ରାମକୃଷ୍ଣ ଦାସ ମହାପାତ୍ର

କାର୍ଯ୍ୟାନୁଷ୍ଠାନ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର, ୧୧/୦୫: ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ। ୩୦ ଦିନ ପାଇଁ ମହାପ୍ରଭୁଙ୍କର ସେବା ତଥା ଶ୍ରୀମନ୍ଦିର ପ୍ରବେଶ ମନା। ଶ୍ରୀମନ୍ଦିର ମର୍ଯ୍ୟାଦା କ୍ଷୂର୍ଣ୍ଣ ଦର୍ଶାଇ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ।

ସୂଚନାଯୋଗ୍ୟ, ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହ ଦୀଘା ଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ମୂର୍ତ୍ତି ନିର୍ମିତ ହୋଇଥିବା ବଙ୍ଗୀୟ ଗଣମାଧ୍ୟମକୁ କହିଥିଲେ। କିନ୍ତୁ ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ସେ ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ।

ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରୁ ଏବଂ କିପରି ସେ ଶ୍ରୀମନ୍ଦିର ଜଗନ୍ନାଥଙ୍କ ବଳକା ଦାରୁ ନେଇ ଅନ୍ୟତ୍ର ମୂର୍ତ୍ତି ସ୍ଥାପନ କଲେ, ତାକୁ ନେଇ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ ହୋଇଥିଲା। ସାତ ଦିନ ଭିତରେ ସନ୍ତୋଷ ଜନକ ଉତ୍ତର ନ ମିଳିଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଥିଲା।