ମେ ୧୬ରୁ ପୁନଃ ଆରମ୍ଭ ହେବ ଆଇପିଏଲ ମ୍ୟାଚ: ବିସିସିଆଇ ସୂତ୍ରରୁ ପ୍ରକାଶ

ଏଇଦିନ ଖେଳାଯିବ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ, ୧୧/୦୫: ମେ’ ୧୬ ସୁଦ୍ଧା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣା ପଡିଛି। ମେ’ ୩୦ କିମ୍ବା ଜୁନ୍ ପହିଲାରେ ଫାଇନାଲ୍ ଖେଳାଯିବ। ତେବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ ବିଭିନ୍ନ ଭେନ୍ୟୁରେ ଖେଳାଯିବ। ସ୍ଥଗିତ ପରେ ଆରମ୍ଭ ହେବାକୁ ଥିବା ମ୍ୟାଚରେ ପ୍ରଥମ ଦିନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।

ବିସିସିଆଇ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଫେରି ଯାଇଥିବା ଖେଳାଳିମାନଙ୍କୁ ଆମେ ଡାକିଛୁ। ୧୩ ତାରିଖ ସୁଦ୍ଧା ସେମାନେ ଏକତ୍ର ହେବେ। ହାଇଦ୍ରାବାଦରେ କ୍ୱାଲିଫାୟର-୧ ଓ ଏଲିମିନେଟର, କୋଲକାତାରେ ମେ ୩୦ କିମ୍ବା ଜୁନ୍ ୧ତାରିଖରେ କ୍ୱାଲିଫାୟର-୨ ଓ ଫାଇନାଲ୍ ଖେଳାଯିବ। ଯଦି ବର୍ଷା ହୁଏ ତାହାଲେ, କ୍ୱାଲିଫାୟର-୨ ଓ ଫାଇନାଲ୍ ଅହମ୍ମଦାବାଦରେ ଖେଳାଯିବ। ଖୁବଶୀଘ୍ର ବିସିସିଆଇ ଆନୁଷ୍ଠାନିକ ଭାବେ ଘୋଷଣା କରିବ।

ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ  ଉତ୍ତେଜନା ତୀବ୍ର ହେବା ପରେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ମେ ୯ ରେ ବିସିସିଆଇ ଆଇପିଏଲକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା।