ଆଜିଠୁ ୩ ଦିନ ଯାଏଁ ପ୍ରବଳ ଖରା

୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସକାଳୁ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ୧୨/୦୫: ସୋମବାର ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ଦିନ ୯ଟା ସୁଦ୍ଧା ଝାରସୁଗୁଡ଼ାରେ ୩୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୪ ଡିଗ୍ରୀ, ପୁରୀ ଓ ଚାନ୍ଦବାଲିରେ ୩୨.୬ ଡିଗ୍ରୀ, ବାଲେଶ୍ଵରରେ ୩୨.୨ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ ଓ ଓ ଗୋପାଳପୁରରେ ୩୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ମଙ୍ଗଳବାର ୧୦ଟି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ରବିବାର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ରାଜ୍ୟର ୧୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।