ରାୟପୁର, ୧୨/୦୫: ଛତିଶଗଡ଼ର ରାୟପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରେଲର ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ରାୟପୁର ଜିଲ୍ଲା ରାୟପୁର-ବାଲୋଦାବଜାର ରାସ୍ତାର ସରାଗାଓଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଶିଶୁ ଓ ୯ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଟୌଦ ଗାଁର ଗୋଟିଏ ପରିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଂସାରୀ ଗାଁକୁ ଯାଇଥିଲେ। ଫେରୁଥିବା ବେଳେ ଖରୋରା ଥାନା ଅନ୍ତର୍ଗତ ସରାଗାଁ ନିକଟରେ ଏକ ଟ୍ରେଲର ସହ ଟ୍ରକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ରାୟପୁରସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।