ଭୁବନେଶ୍ୱର, ୧୨/୦୫: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ପଶ୍ଚିମ ଓଡିଶାରେ ସବୁଠୁ ଅଧିକ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଆଗକୁ ଆହୁରି ଖରା ଅନୁଭୂତ ହେବ। ତାପମାତ୍ରା ଠାରୁ ଅଧିକ ଆର୍ଦ୍ରତା ରହୁଛି। ଯାହାଫଳରେ ଗୁଳୁଗୁଳି ପ୍ରବଳ ହେଉଛି। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୪୧.୬ ଡିଗ୍ରୀ, ହୀରାକୁଦ ୪୧.୦ ଡିଗ୍ରୀ, ଭୁବନେଶ୍ୱର ୪୦.୦ ଡିଗ୍ରୀ, ରାଉରକେଲା ୩୯.୬ ଡିଗ୍ରୀ ଓ କେନ୍ଦୁଝରରେ ୩୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଆସନ୍ତା ମେ’ ୧୩ ତାରିଖରେ ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗରମ ଓ ଆର୍ଦ୍ରତା ଲାଗି ରହିବ ବୋଲି ଆଇଏମଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ବୟସ୍କ ଓ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। କୌଣସି ଆମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।