ମଇଁଷି ଚରାଉଥିଲେ ଅଜା ନାତି

ହଠାତ ଘୋଟି ଆସିଲା କଳା ହାଣ୍ଡିଆ ମେଘ: ଜୀବନ ନେଲା ବଜ୍ରପାତ

ପାତ୍ରପୁର, ୧୨/୦୫: ପାତ୍ରପୁର ବ୍ଳକ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ବଜ୍ରପାତରେ ସୋମବାର ଅପରାହ୍ନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ଉକ୍ତ ଗ୍ରାମର ସାକିଲି କନ୍ୟାରି (୫୫) ଏବଂ ତାଙ୍କ ନାତି ଭୁବେଶ କନ୍ୟାରି (୧୭)।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଅଜା ନାତି ଗ୍ରାମ ନିକଟ ପ୍ରବାହିତ ନଦୀ ପାଖ ତୁଟାରେ ଗାଈ ମଇଁଷି ଚରାଉଥିଲେ। ହେଲେ ଖାଇବା ପାଇଁ ଗଛ ତଳେ ରୋଷେଇ କରୁଥିବା ବେଳେ ହଠାତ୍ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଏତିକିବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ସହ ଏକ ମଇଁଷି ମଧ୍ୟ ଭୂମି ଉପରେ ପଡି ଯାଇଥିଲେ। ସେମାନଙ୍କ ଉପରେ ବଜ୍ରପାତ ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଭୟ ଅଜା ନାତିଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଚ୍ଛେଦ ତୁରନ୍ତ କରିବା ସହ ସରକାରୀ ସହାୟତା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ପ୍ରକାଶ କରିଛନ୍ତି ବିଧାୟକ ମନରଞ୍ଜନ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ରୁଣ୍ଡ ହୋଇଥିବା ବେଳେ ମେଡିକାଲ ପରସରରେ ଅଜା ନାତି ଦୁଇ ଜଣଙ୍କ ଏକା ବେଳେ ମୃତ ଯୋଗୁଁ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।