ପୁଣି ଧରା ପଡିଲେ ୪ ପାକିସ୍ତାନୀ ଗୁପ୍ତଚର

ଆଇଏସଆଇ ସହ ଡାଇରେକ୍ଟ ଲିଙ୍କ!

ନୂଆଦିଲ୍ଲୀ, ୧୯/୦୫: ଆଜି ଗୋଟିଏ ଦିନରେ ଚାରି ଜଣ ପାକିସ୍ତାନୀ ଗୁପ୍ତଚର ଧରା ପଡ଼ିଛନ୍ତି। ଆଜି ସକାଳେ ପ୍ରଥମେ ଉତ୍ତରପ୍ରଦେଶର ମୁରାଦାବାଦରୁ ଜଣେ ଗୁପ୍ତଚରଙ୍କୁ ଗିରଫ କରିବା ପରେ ପୁଣି ହରିୟାଣାର ନୁହରୁ ଆଉ ଜଣେ ସ୍ପାଏଙ୍କୁ ଗିରଫ କରାଯାଇଛି। ସେହିପରି ପଞ୍ଜାବରୁ ମଧ୍ୟ ଆଉ ଦୁଇ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ପ୍ରଥମ ମାମଲାରେ ଉତ୍ତରପ୍ରଦେଶ ଏସଟିଏଫ ଗିରଫ କରିଥିବା ୟୁପିର ରାମପୁରର ବାସିନ୍ଦା ଶେହଜାଦ ଗତ କିଛି ବର୍ଷ ଧରି ସେ ପାକିସ୍ତାନ ଯିବା ଆସିବା କରୁଥିଲେ। ସୀମା ପାର ସ୍ମଗଲିଂ କରିବା ସହିତ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିଲେ। ସେ ଦେଶ ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ସେ ଭାରତରେ ଥାଇ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଅପରେଟ୍ କରୁଥିଲେ। ଏପରିକି ସେ ଦେଶରୁ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଜାତୀୟ ଦ୍ରବ୍ୟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ପାକିସ୍ତାନକୁ ଚୋରା ଚାଲାଣ କରୁଥିଲେ। ବେପାର କରିବା ବାହାନାରେ ସେ ପାକିସ୍ତାନକୁ ଯୋଗାଉଥିଲେ ଦେଶ ସମ୍ପର୍କିତ ବହୁ ସମ୍ବେଦନଶୀଳ ତଥ୍ୟ।

ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଭାରତୀୟ ସିମ୍ କାର୍ଡ ଦେବାରେ ସାହାଯ୍ୟ କରିବା ସହ ଭାରତରୁ ବିଭିନ୍ନ ଲୋକଙ୍କ ସହ ଛଳନା କରି ଆଇଏସଆଇରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ପାକିସ୍ତାନ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସହ ମିଳିତ ଅପରେସନ କରି ପାକିସ୍ତାନ ପାଇଁ ଗୁପ୍ତଚର ଚଳାଉଥିବା ଅଭିଯୋଗରେ ଗୁରୁଗ୍ରାମ ପୁଲିସ ଜଣେ ସ୍ଥାନୀୟ ଗୁପ୍ତଚରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନୁହ ଜିଲ୍ଲାର କାଙ୍ଗରକା ଗ୍ରାମର ମହମ୍ମଦ ତାରିଫ୍ ବୋଲି ଜଣାପଡ଼ିଛି। ସାମରିକ କାର୍ଯ୍ୟକଳାପର ଗୁଇନ୍ଦା ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପାକିସ୍ତାନ ହାଇକମିଶନର ଜଣେ କର୍ମଚାରୀଙ୍କୁ ସିମ୍ କାର୍ଡ ଦେଇ ପାକିସ୍ତାନ ଯାଉଥିବା ସ୍ୱୀକାର କରିଛି। ତାରିଫ୍ ଦୀର୍ଘ ଦିନ ଧରି ପାକିସ୍ତାନକୁ ଭାରତୀୟ ସେନା ଓ ପ୍ରତିରକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପଠାଉଥିଲେ। ସେ ଲୋକଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ନେବାକୁ କହୁଥିଲେ। ରବିବାର ତାରିଫଙ୍କୁ ଗିରଫ କରାଯିବା ପୂର୍ବରୁ ସେ ପୁଲିସ ଟିମକୁ ଦେଖି ମୋବାଇଲ୍ ରେ କିଛି ଚାଟ୍ ଡିଲିଟ୍ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ଜବତ କରାଯିବା ସହ ଆଗକୁ ତଦନ୍ତ ଜାରି ରହିଛି।

ସେହିପରି ପଞ୍ଜାବରୁ ଗୁପ୍ତଚରୀ ଅଭିଯୋଗରେ ଦୁଇ ପାକିସ୍ତାନୀ ଗୁପ୍ତଚର ସୁଖପ୍ରିତ ସିଂହ ଓ କରଣବୀର ସିଂହଙ୍କୁ ଗିରଫ କରିଛି ପଞ୍ଜାବର ଗୁରୁଦାସପୁର ପୋଲିସ। ସେମାନେ ସୈନ୍ୟ ଚଳପ୍ରଚଳର ସୂଚନା ପ୍ରଦାନ କରୁଥିଲେ ଦୁଇ ଅଭିଯୁକ୍ତ। ଅପରେସନ ସିନ୍ଦୂର ସମ୍ପର୍କିତ ତଥ୍ୟ ଆଇଏସଆଇକୁ ଦେଉଥିଲେ। ସେମାନେ ଆଇଏସଆଇ ହ୍ୟାଣ୍ଡଲରଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ। ଗିରଫ ପରେ ସେମାନଙ୍କଠାରୁ ୩ଟି ମୋବାଇଲ ଫୋନ ଓ ୮ଟି ଗୁଳି ଜବତ କରାଯାଇଛି।