ଜାମିନ ପାଇଁ ବର୍ଷେ ଜେଲରେ ରହିବା ବାଧ୍ୟତାମୂଳକ ନୁହେଁ
ମନି ଲଣ୍ଡରିଂ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ, ୨୦/୦୫: ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ମିଳିବା ପୂର୍ବରୁ ଏକ ବର୍ଷ ଜେଲରେ ରହିବା କୌଣସି ନିୟମ ନାହିଁ। ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ବ୍ୟବସାୟୀ ଅନଓ୍ଵାର ଧେବରଙ୍କୁ ଜାମିନ ପ୍ରଦାନ କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ।
ଖଣ୍ଡପୀଠ କହିଛନ୍ତି ଯେ, ଜାମିନ ପାଇବା ପାଇଁ ବର୍ଷେ ପର୍ଯ୍ୟନ୍ତ ହାଜତରେ ରହିବା ନିୟମ ନୁହେଁ। ଯେଉଁ ଅଭିଯୋଗ ରହିଛି, ସେଥିରେ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡବିଧାନ ରହିଛି। ବର୍ତ୍ତମାନର ମାମଲାରେ ଧେବରଙ୍କ ବିରୋଧରେ ଶୀଘ୍ର ଶୁଣାଣି ହେବ ନାହିଁ।
୨୦୨୪ ଅଗଷ୍ଟ ୮ ତାରିଖରେ ଧେବରଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ୪୦ ଜଣ ସାକ୍ଷୀଙ୍କ ବୟାନ ଦିଆଯାଇଛି। ତଦନ୍ତ ଜାରି ରହିଛି। ଆହୁରି ୪୫୦ ଜଣ ସାକ୍ଷୀ ଅଛନ୍ତି। ତେଣୁ ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥିପାଇଁ ସର୍ବାଧିକ ୭ ବର୍ଷ ଜେଲ୍ ଦଣ୍ଡାଦେଶ ରହିଛି। ସେ ୯ ମାସରୁ ଅଧିକ ସମୟ ଜେଲରେ ବିତାଇଛନ୍ତି।
ଅଦାଲତ କହିଛନ୍ତି ଯେ ନିୟମ ଅନୁଯାୟୀ ସର୍ତ୍ତାବଳୀ ସହ ଜାମିନରେ ମୁକ୍ତ କରିବାର ଅଧିକାର ରହିଛି।
ଛତିଶଗଡ଼ ଓ ଅନ୍ୟ ରାଜ୍ୟମାନଙ୍କରେ ମଦ ଠକେଇ ମାମଲାରେ ଧେବରଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଜାମିନରେ ମୁକ୍ତ ନ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓକିଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ପାଳନ କରି ସପ୍ତାହେ ମଧ୍ୟରେ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।