ସରକାରଙ୍କ ସୁରକ୍ଷାରେ ରହିବ ଆଦିବାସୀଙ୍କ ଜମି

ଜମି ହଡପ କରି ପାରିବେନି ପ୍ରଭାବଶାଳୀ ବ୍ୟକ୍ତି

ଏସସି/ଏସଟିଙ୍କ ଜମି କିଣିବେ ସରକାର

ଭୁବନେଶ୍ୱର, ୨୨/୦୫: କୌଣସି ପ୍ରଭାବଶାଳୀ ବ୍ୟକ୍ତି ଆଦିବାସୀଙ୍କ ଜମି ହଡପ କରି ପାରିବେ ନାହିଁ। ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଚାପ ପକାଇ ସେମାନଙ୍କ ଜମିକୁ ନିଜ ଅକ୍ତିଆରକୁ କୌଣସି ଧନୀ ଲୋକ ନେଇ ପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ସୁରକ୍ଷିତ ଭାବେ ରଖାଯିବ। ଏଥିପାଇଁ ଗଠନ ହେବ କର୍ପସ ଫଣ୍ଡ। ଯଦି ସେମାନଙ୍କର ଜମି ବିକ୍ରି କରିବା ପାଇଁ ଜରୁରୀ ଥାଏ, ତାହାଲେ ସେମାନେ ସିଧା ସରକାରଙ୍କ ପାଖକୁ ଯିବେ। ସରକାର ସେମାନଙ୍କ ଜମି କିଣିବେ। ଏଥିପାଇଁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କର୍ପସ ଫଣ୍ଡ ଗଠନ କରାଯିବ।

ଏହି କମିଟିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ। ଆଦିବାସୀମାନେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ । ଜମି ମାଲିକ ଚାହିଁଲେ ପରବର୍ତ୍ତୀ ସମୟରେ ନେଇପାରିବେ। ଯଦି ସେହି ଜମିକୁ ସେମାନେ ଫେରସ୍ତ ନ ନିଅନ୍ତି ତା’ହେଲେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।