ଭୁବନେଶ୍ୱର, ୨୨/୦୫: ଆଜି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଉପଦେଶ ଦେଇଛନ୍ତି । ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ଦେଖାଯାଉଛି । ଏହି ରୋଗର ଭୟଭୟତାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇଛି । ଜନସାଧାରଣଙ୍କର ଟୀକାକରଣ ଏବଂ ନିରନ୍ତର ସରକାରୀ ପ୍ରଚେଷ୍ଠା ଯୋଗୁ ଓଡିଶାରେ କୋଭିଡ୍ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ସାମ୍ନାକୁ ଆସୁଛି; ଏବଂ ସେ ସବୁ କେସକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯାଉଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମାନକ ଅନୁସାରେ ଏହି କେସ ଗୁଡ଼ିକ ପୂର୍ବରୁ ଜଣାଥିବା ଅପେକ୍ଷାକୃତ ଧୀର ପ୍ରଜାତିର ଭୂତାଣୁ । ଏଗୁଡିକ ଅତି ଗୁରୁତର ରୋଗ ସୃଷ୍ଟି କରନ୍ତି ନାହିଁ । ଏହି ସବୁ କେସର ନିରୂପଣ ଏବଂ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ସୂଚନାଯୋଗ୍ୟ, ଆଜି ସକାଳେ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣକ ବୟସ୍କ ହୋଇଥିବା ବେଳେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରୁ ଫେରିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ପୁଣି ରାଜ୍ୟରେ ମୁଣ୍ଡ ଟେକିଛି କରୋନା। ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଛି।