ବାନୁ ମୁସ୍ତାକ ଓ ଦୀପା ଭସ୍ତିଙ୍କୁ ମିଳିଲା ‘ଅନ୍ତର୍ଜାତୀୟ ବୁକର ପୁରସ୍କାର’

ପ୍ରଥମ ଭାରତୀୟ ଅନୁବାଦକ ଭାବେ ଦୀପା ଭସ୍ତି ପାଇଲେ ‘ଅନ୍ତର୍ଜାତୀୟ ବୁକର ପୁରସ୍କାର’

ନୂଆଦିଲ୍ଲୀ, ୨୨/୦୫: ଭାରତୀୟ ଲେଖିକା ବାନୁ ମୁସ୍ତାକ ଏବଂ ଅନୁବାଦକ ଦୀପା ଭସ୍ତିଙ୍କୁ ମିଳିଛି ଅନ୍ତର୍ଜାତୀୟ ବୁକର ପୁରସ୍କାର। ଦକ୍ଷିଣ ଭାରତର ମହିଳାଙ୍କ ଦୈନନ୍ଦିନ ଜୀବନ ଓ ସଂଘର୍ଷକୁ ବର୍ଣ୍ଣନା କରି ୧୨ଟି କ୍ଷୁଦ୍ରଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ’ ପାଇଁ ମଙ୍ଗଳବାର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକ କ୍ଷୁଦ୍ରଗଳ୍ପ ସଂକଳନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଲଣ୍ଡନର ଟେଟ୍ ମଡର୍ଣ୍ଣରେ ଆୟୋଜିତ ଏକ ସମାରୋହରେ ବେଷ୍ଟସେଲିଂ ବୁକର ପୁରସ୍କାର ପ୍ରାପ୍ତ ଲେଖକ ମ୍ୟାକ୍ସ ପୋର୍ଟରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଭୋଟିଂ ପ୍ୟାନେଲ ଏହି ପୁରସ୍କାର ଘୋଷଣା କରିଥିଲେ।

ଦୀପା ଭସ୍ତି ହେଉଛନ୍ତି ପ୍ରଥମ ଭାରତୀୟ ଅନୁବାଦକ ଏବଂ ବିଶ୍ୱର ନବମ ମହିଳା ଅନୁବାଦକ ଯିଏ କି ଏହି ପୁରସ୍କାର ଜିତିଛନ୍ତି। ବାନୁ ମୁସ୍ତାକ ହେଉଛନ୍ତି ଷଷ୍ଠ ଲେଖିକା ଯିଏ ଏହି ପୁରସ୍କାର ପାଇଛନ୍ତି।

ଅନ୍ୟ ୫ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇଥିବା ଏହି ପୁସ୍ତକରେ ୧୯୯୦ରୁ ୨୦୨୩ ପର୍ଯ୍ୟନ୍ତ ମହିଳାଙ୍କ ଜୀବନ, ପ୍ରଜନନ ଅଧିକାର, ବିଶ୍ୱାସ, ଜାତି, କ୍ଷମତା ଓ ଅତ୍ୟାଚାର ବିଷୟରେ ବର୍ଣ୍ଣନା କରାଯାଇଛି।

୫୦,୦୦୦ ପାଉଣ୍ଡ (୬୬,୦୦୦ ଡଲାର) ପୁରସ୍କାର ରାଶି ଉଭୟଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ। ପ୍ରତ୍ୟେକଙ୍କୁ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଆନ୍ତର୍ଜାତିକ ବୁକର ପୁରସ୍କାର ପ୍ରଦାନ କରାଯାଏ।