ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ଓଡ଼ିଆ ସାହିତ୍ୟ ଇତିହାସର ରଚୟିତା ଡ଼ ମାନସିଂହଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ନିନ୍ଦନୀୟ। ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ ନନ୍ଦଳା ଗ୍ରାମ।

ନନ୍ଦଳା ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରନ୍ତୁ ସରକାର

ଭୁବନେଶ୍ୱର, ୧୪/୦୩: ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।

ଏକ ପ୍ରେସ ବିବୃତ୍ତିରେ ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ନନ୍ଦଳା ଗ୍ରାମ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ । ନିଜ କବିତା ମାଧ୍ୟମରେ ଡ. ମାନସିଂହଙ୍କ ପ୍ରେମ, ଜୀବନବାଦ ଓ ସୌନ୍ଦର୍ଯ୍ୟର ଯେଉଁ ନୂଆ ସୃଜନ କୋଣାର୍କ ଗଢ଼ିଛନ୍ତି ତାହାର ମୂକସାକ୍ଷୀ ନନ୍ଦଳା ଏକ ଆଧୁନିକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ଧୂପ, ସାଧବଝିଅ, ହେମଶସ୍ୟ, ପଲ୍ଲୀସନ୍ଧ୍ୟା, ମହାନଦୀରେ ଜ୍ୟୋତ୍ସ୍ନା ବିହାର, ଦହନ ସୁଖ, ରୂପଦେବତା, କୋଣାର୍କ, ଉପେକ୍ଷିତା, ନିକ୍ୱଣ, ଶୁଭଦୃଷ୍ଟି, ଜେମା, କମଳାୟନ, ଦୂରେ ରହ ପ୍ରମୁଖ କାଳଜୟୀ କାବ୍ୟକୃତିର ସ୍ରଷ୍ଟା ତଥା ପ୍ରଥମ ପୂର୍ଣ୍ଣାଙ୍ଗ ‘ଓଡ଼ିଆ ସାହିତ୍ୟ ଇତିହାସ\’ର ରଚୟିତା ଡ. ମାନସିଂହଙ୍କ ପ୍ରତି ଏ ସରକାରର ବୈମାତୃକ ମନୋଭାବ କାହିଁକି?

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ସାଂସ୍କୃତିକ ଓ ସାରସ୍ୱତ ବିବିଧତାରେ ସମୃଦ୍ଧ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ବର୍ତ୍ତମାନର ସରକାର ଓ ଜନପ୍ରତିନିଧି ଜାଣିଶୁଣି ବାରମ୍ୱାର ଅବହେଳା କରିଆସୁଛନ୍ତି । ଅସ୍ମିତାର ମିଥ୍ୟା ଆସ୍ଫାଳନ କରୁଥିବା ଡବଲ ଇଞ୍ଜିନ ସରକାର ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚାୟକ ଡ. ମାନସିଂହଙ୍କ ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରିବାକୁ ବିଜୁ ଜନତା ଦଳ ଦାବି କରୁଛି ।