ଭୁବନେଶ୍ୱରରେ ‘ଜୁଭେନଟିକା ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ସମ୍ମିଳନୀ
ସାଇବର ବିପଦରୁ ଶିଶୁଙ୍କୁ ରକ୍ଷା କରିବାକୁ ପୋଲିସ୍ ଓ ଅଭିଭାବକଙ୍କୁ ଆହ୍ୱାନ
ଭୁବନେଶ୍ୱର, ୧୪/୦୩: ଓଡ଼ିଶା ପୋଲିସ୍ ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନଠାରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସମ୍ଭାବନାଗୁଡ଼ିକର ମୁକାବିଲା ପାଇଁ ପ୍ରଶାସକ, ବରିଷ୍ଠ ପୋଲିସ୍ ଅଧିକାରୀ, ଶିକ୍ଷାବିତ୍, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିଶୁ ଅଧିକାର ବିଶେଷଜ୍ଞମାନଙ୍କୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ।
ଅନଲାଇନ୍ ପରିବେଶରେ ଶିଶୁମାନଙ୍କର ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଅନୁଷ୍ଠାନ, ପରିବାର ଏବଂ ସମାଜ କିପରି ସହଯୋଗ କରିପାରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶିଶୁମାନଙ୍କ ପ୍ରତି ଥିବା ସାଇବର ବିପଦ ଏବଂ ଏହାର ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାର ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ସାଇବର ନିରାପତ୍ତା ସଚେତନତା ବୃଦ୍ଧି ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ପୋଲିସ୍ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ଏବଂ ବୈଷୟିକ ସହାୟତା ପାଇଁ ସାଇବର ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଉଛି । ଏଥିସହିତ ୭୧ଟି ପୋଲିସ୍ ଷ୍ଟେସନରେ ‘ଶିଶୁ ଅନୁକୂଳ ସ୍ଥାନ’ (Friendly Corners) ର ଉନ୍ନତିକରଣ କରାଯାଇଛି ଏବଂ ଆଗାମୀ ଦିନରେ ସମଗ୍ର ଓଡ଼ିଶା ପୋଲିସକୁ ଶିଶୁ ଅନୁକୂଳ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଡିଜିଟାଲ୍ କ୍ଷେତ୍ରରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ୍ ଏବଂ ନାଗରିକ ସମାଜର ମିଳିତ ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଆରକ୍ଷୀ ମହାନିର୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି ଯେ, ଭାରତର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ରେ ୧୨୫ ମିଲିୟନରୁ ବୃଦ୍ଧି ପାଇ ୨୦୨୧ରେ ୮୪୫ ମିଲିୟନରେ ପହଞ୍ଚିଛି । ସାଇବର ୱିଙ୍ଗର ‘ଚିଲଡ୍ରେନ୍ ଆଣ୍ଡ ୱିମେନ୍ ଅନଲାଇନ୍ ଆବ୍ୟୁଜ୍ ମନିଟରିଂ ୟୁନିଟ୍’ ପକ୍ଷରୁ ଅନଲାଇନରୁ କ୍ଷତିକାରକ ତଥା ଅଶ୍ଳୀଳ ବିଷୟବସ୍ତୁ (CSEAM) ହଟାଇବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (CAW & CW) ଶ୍ରୀମତୀ ଶାଇନି ଏସ୍. ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ପାଇଁ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଶିଶୁମାନଙ୍କର ସ୍ୱର ଏବଂ ଡିଜିଟାଲ୍ ଶିକ୍ଷା
ୟୁନିସେଫ୍ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ଦାଶ କହିଥିଲେ ଯେ, “ଶିଶୁମାନେ ଡିଜିଟାଲ୍ ଦୁନିଆର କେବଳ ନିଷ୍କ୍ରିୟ ବ୍ୟବହାରକାରୀ ନୁହଁନ୍ତି, ସେମାନେ ହେଉଛନ୍ତି ଶିକ୍ଷାର୍ଥୀ ଓ ସ୍ରଷ୍ଟା; ତେଣୁ ଡିଜିଟାଲ୍ ସୁରକ୍ଷା ଆଲୋଚନାର କେନ୍ଦ୍ରରେ ସେମାନଙ୍କ ସ୍ୱର ରହିବା ଆବଶ୍ୟକ” । ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟି ଏବଂ ଇନଫ୍ଲୁଏନ୍ସରମାନଙ୍କ ସହ ଆଲୋଚନା କରାଯାଇଥିଲା, ଯେଉଁଠାରେ ସୋସିଆଲ ମିଡିଆ ଟ୍ରେଣ୍ଡ୍ କିପରି କିଶୋର କିଶୋରୀଙ୍କ ଆଚରଣକୁ ପ୍ରଭାବିତ କରୁଛି ସେ ବିଷୟରେ ଆଲୋଚନା ହୋଇଥିଲା ।
ଆଲୋଚନା ଚକ୍ରରେ ରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଇଥିଲା।
ଓଡ଼ିଶା ପୋଲିସ୍ ତରଫରୁ ‘ରକ୍ଷା ସାଥୀ’ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଏବଂ ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀ (CWPO) ମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଆରମ୍ଭ କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଠ୍ୟକ୍ରମରେ ଡିଜିଟାଲ୍ ନିରାପତ୍ତା ଶିକ୍ଷା ଏବଂ ‘ଡିଜିଟାଲ୍ ହାଇଜିନ୍ ଓ ସାଇକୋ-ସୋସିଆଲ୍ ଫାଷ୍ଟ ଏଡ୍’ (Digital Hygiene and Psycho-social First Aid) ଅନ୍ତର୍ଭୁକ୍ତ କରାଯିବ ।
ପୋଲିସ୍ ଏବଂ ଗଣ ଶିକ୍ଷା ବିଭାଗ ମିଳିତ ଭାବେ ଅଭିଭାବକ-ଶିକ୍ଷକ ବୈଠକ (PTM) ରେ ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀମାନଙ୍କ ଅଂଶଗ୍ରହଣ ନିଶ୍ଚିତ କରିବେ । ଏଥିପାଇଁ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଥିଲା ।