ଭୁବନେଶ୍ୱର, ୧୪/୦୩: ଦଳୀୟ ବିଧାୟକମାନଙ୍କୁ ଏକଜୁଟ ରଖିବା ପାଇଁ ବିଜେପିର ନୂଆ ଷ୍ଟ୍ରାଟେଜି। ପ୍ରଥମ ଥର ଶାସକ ଦଳର ବିଧାୟକମାନଙ୍କୁ କେହି ପ୍ରଭାବିତ କରିବା ଆଗରୁ ବିଧାୟକମାନଙ୍କୁ ଏକଜୁଟ କରିବାକୁ ଲାଗିପଡିଛି ଦଳ। ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ବିଧାୟକମାନେ ପାରାଦୀପ ଗସ୍ତରେ ଯାଇଛନ୍ତି।
ପ୍ରଥମେ ରାଜ୍ୟ କାର୍ଯ୍ୟାଳୟରେ ଚୂଡାନ୍ତ ହୋଇଥିଲା ବିଜେପିର ସ୍ୱତନ୍ତ୍ର ରଣନୀତି। ରାଜ୍ୟସଭା ନେଇ ସମସ୍ତ ବିଧାୟକ ମାନଙ୍କ ସହ ବୈଠକରେ ଆଲୋଚନା ହୋଇଥିଲା। ଭୋଟିଂଙ୍କୁ ନେଇ ଟ୍ରେନିଂ ଦିଆଯିବା ପରେ ବସରେ ପାରାଦ୍ୱୀପ ଯାଇଛନ୍ତି ବିଜେପି ବିଧାୟକ। ବସ୍ ଯୋଗେ ପାରାଦୀପ ଯାଇଛନ୍ତି ସମସ୍ତ ବିଜେପି ବିଧାୟକ।
ଅନ୍ୟପଟେ ବିଜେଡ଼ି ମଧ୍ୟ ଜୋରସୋର କସରତ କରିଛି ଦଳୀୟ ବିଧାୟକମାନଙ୍କୁ ଏକଜୁଟ କରିବାକୁ। ନବୀନ ନିବାସରେ ଆଜି ବିଧାୟକମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଡାକିଥିଲେ ସୁପ୍ରିମୋ। କେହି ଦଳୀୟ ବିଧାୟକମାନଙ୍କୁ ପ୍ରଭାବିତ ନ କରନ୍ତୁ, ସେଥିପ୍ରତି ଟିକିନିଖି ନଜର ରଖିଛନ୍ତି ନବୀନ। ଆଜି ପ୍ରଥମ ପର୍ଯ୍ୟାୟ ମକ ପୋଲିଂରେ ବିଜେଡ଼ି ଯୋଗ ଦେବା ପରେ ମଧ୍ୟାହ୍ନଭୋଜନ କରିବାକୁ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହା ଆଜି ଜୋର ଚର୍ଚ୍ଚାର ବିଷୟ ପାଲଟିଥିଲା।
ସେପଟେ କଂଗ୍ରେସ ମଧ୍ୟ ନିଜ ଦଳର କିଛି ବିଧାୟକମାନଙ୍କୁ ନେଇ କର୍ଣ୍ଣାଟକରେ ଅଛି। ଗତ କାଲିଠୁ ନିଜେ ପିସିସି ସଭାପତି ଭକ୍ତ ଦାସ ୯ ବିଧାୟକଙ୍କୁ ନେଇ ପ୍ରଥମେ ବାଙ୍ଗାଲୋର ଯାଇଥିବା ବେଳେ ବର୍ତ୍ତମାନ ମହୀଶୂର ଯାଇଥିବା ସୂଚନା ମିଳିଛି।
ଆଉ ଦିନକ ପରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟସଭା ସିଟ୍ କୁ ନେଇ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେଉଥିବା ବେଳେ କିଏ ମାରିବେ ବାଜି, ତାହା ଏବେଠୁ ଆକଳନ କରିବା ମୁସ୍କିଲ। ନିଜ ନିଜ ଦଳର ବିଧାୟକମାନଙ୍କୁ ଏକଜୁଟ କରିବାକୁ ଜୋରଦାର କସରତ କରୁଛନ୍ତି ବିଜେପି, ବିଜେଡ଼ି ଓ କଂଗ୍ରେସ। କ୍ରସ ଭୋଟିଂକୁ ନେଇ ସବୁ ଦଳ ମଧ୍ୟରେ ଛନକା ପଶିଛି। ହାତେରୁ ଛୁଟିଲେ ଅଣହାତେ ଭଳି ଦଳୀୟ ବିଧାୟକମାନଙ୍କୁ କିଛି ବି ଓଲଟ ପାଲଟ କରିବାକୁ ଦେଉନାହାନ୍ତି କମାଣ୍ଡୋମାନେ। କଂଗ୍ରେସର ବିଧାୟକମାନେ କର୍ଣ୍ଣାଟକରୁ କେବେ ଆସିବେ ଜଣାନଥିବା ବେଳେ ବିଜେପି ବିଧାୟକମାନେ ଭୋଟ ପୂର୍ବରୁ ହିଁ ସିଧା ପାରାଦୀପରୁ ଆସି ବିଧାନସଭାରେ ହିଁ ପହଞ୍ଚିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।