ବର୍ଷାରେ ଭୁଶୁଡ଼ିଲା ଭାରତର ସର୍ବ ବୃହତ ଟନେଲ

ଘଟଣାକୁ ଚାପିବା ପାଇଁ ଉଦ୍ୟମ: ଗଣମାଧ୍ୟମର ପ୍ରବେଶ ନିଷେଧ

ଟନେଲ ଭିତରେ ଏକାଧିକ ଫସି ରହିଥିବା ଆଶଙ୍କା: ଜୋର‌ ଧରିଲା ତଦନ୍ତ ଦାବି

ହରଭଙ୍ଗା, ୨୬/୦୫: ସୋମବାର ଦିନ ପ୍ରାୟ ୧୧.୪୫ ସମୟରେ ଭୁଶୁଡ଼ିଲା ଭାରତର ସର୍ବ ବୃହତ୍ତ ଟନେଲ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ ହେଉଛି ଭାରତର ସର୍ବ ବୃହତ ଟନେଲ। ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଅଧିକ। ଆଡ଼େନିଗଡ଼ଠାରୁ ଅନତି ଦୁର କଖାରୁଫାଳ ନିକଟରେ ଟନେଲଟି ଭୁଶୁଡ଼ି ଯାଇଛି। ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ୍ବ ତଳକୁ ମାଟି ଭୁଶୁଡ଼ି ଯାଇଛି। ତେବେ ନିମ୍ନ ମାନର କାର୍ଯ୍ୟ ପାଇଁ ଏମିତି ଅଘଟଣ ଘଟି ଥାଇପାରେ ବୋଲି ଯାହା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଭୁଶୁଡ଼ି ଯାଇଥିବା ଟନେଲର ଚାରି ପଟେ ଆବଦ୍ଧ କରି ଦିଆ ଯାଇଛି। ଟନେଲ ଭିତରେ କିଏ କିଏ, କେତେଜଣ କାମ କରୁଥିଲେ, କେତେଜଣ ମୃତ ନା କେତେ ଜଣ ଆହତ ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁ ନାହାନ୍ତି।

ସୂଚନା ଥାଉ କି, ଉକ୍ତ ଟନେଲ କାର୍ଯ୍ୟ GRIL ନାମକ ଏକ ଠିକା ସଂସ୍ଥା କରୁଥିଲା। ଏ ବାବଦରେ ଖବର ସଂଗ୍ରହ କରିବା ପାଇଁ କୌଣସି ଗଣମାଧ୍ୟମକୁ ମଧ୍ୟ ପାଖକୁ ଛାଡ଼ୁନାହାନ୍ତି। ତେବେ ଏହି ଟନେଲଟି କେମିତି ଭୁଶୁଡ଼ିଲା, କେତେଜଣ କାର୍ଯ୍ୟରତ ଥିଲେ, କେତେଜଣ ଜୀବିତ କି ମୃତ ଏବଂ କେତେଜଣ ଆହତ ହୋଇଛନ୍ତି ତାର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।