ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ଭୁଶୁଡ଼ିବା ଘଟଣା

ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୬/୦୫: ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ର ନିର୍ମାଣ କାମ ବେଳେ ଆଜି ଅପରାହ୍‌ଣରେ ଏକ ଅଘଟଣ ଘଟିଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତ ଅଧୀନ କଖାରୁଫାଳ ନିକଟ ଜଙ୍ଗଲ ଭିତରେ ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ପଡିଛି।

ଏହି ରେଳ ଟନେଲ ଭୁଶୁଡ଼ି ପଡ଼ିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ପଷ୍ଟୀକରଣ ରଖିଛି। ପୂର୍ବତଟ ରେଳପଥ କହିଛିି, “ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ରେ ଢିଲା ମାଟି ଗଠନ ଏବଂ ଏହି  ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି। କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ, ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି।” ବୋଲି ସ୍ପଷ୍ଟତା ପ୍ରକାଶ କରିଛି।