ପୁରୁଣା ଭୁବନେଶ୍ୱର, ୦୪/୦୬:ମଙ୍ଗଳବାର ସଂଧ୍ୟା ରେ ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ପାଣି ଓ ଏକାମ୍ର ବନ ନାନାଦି ସୁଗନ୍ଧରେ ମହକି ଉଠୁଥିଲା। ଏହା ସହିତ ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମଲ୍ଲି ଫୁଲ ମାଳ ସହିତ ଚନ୍ଦନ ବିମଣ୍ଡିତ ହୋଇଥିଲେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଦିବ୍ୟ ଅନୁଭୂତି ପ୍ରଦାନ କରିଥିଲା। ବିନ୍ଦୁସାଗର କୂଳ ଏକାମ୍ର କାନନରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚରଣରେ ସମର୍ପିତ ଚନ୍ଦନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଏହି ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରୁ ନିସ୍ତାର ପାଇଁ ବିନ୍ଦୁସାଗରରେ ସ୍ନାନ କରିବା ସହ ଦେହରେ ସୁବାସିତ ଚନ୍ଦନ ଓ ବେକରେ ମଲ୍ଲି ମାଳ ପକେଇ ଉତ୍ସବକୁ ମହା ଆଡ଼ମ୍ବରରେ ପାଳିତ କରାଯାଇ ଅଛି। ଏହି ଅବସରରେ ବିନ୍ଦୁସାଗର ପୁଷ୍କରିଣୀ ଓ ଏକାମ୍ର ବନ ଆଲୋକରେ ସୁସଜ୍ଜିତ କରାଯାଇଥିଲା। ରାତ୍ରରେ ଉତ୍ସବକୁ ଉତ୍ସବ ମୁଖର କରିବା ପାଇଁ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀମାନଙ୍କ ଦ୍ଵାରା ଭଜନ ପରିବେଷଣ ସହ ସମସ୍ତଙ୍କ ପାଇଁ ଆନନ୍ଦ ବଜାର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ସମ୍ପଦ ସ୍ୱାଇ, ଗଞ୍ଜାମ ସାଂସଦ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି,ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ନିରଞ୍ଜନ ମିଶ୍ର, ରଶ୍ମି ମହାପାତ୍ର,ଦୁଧିପ୍ତ ରାୟ, ସାରଦା ସତଫତି, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଭୁବନେଶ୍ୱର ଡିସିପି, ଭୁବନେଶ୍ୱର ମହାନଗର ନିଗମର ବହୁ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ବିଜେପି ଓଡ଼ିଶା ପ୍ରଦେଶ ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃତ୍ୱ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣ ସାମିଲ ହୋଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରଧନା କରି ଆନନ୍ଦ ଉଲ୍ଲାସ ସହକରେ ଚନ୍ଦନ ଉତ୍ସବ ପାଳନ କରିଥିଲେ।
Prev Post
Next Post