‘ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ଆସେନି ବିକାଶ’

ବିଜେଡ଼ିର ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଶଙ୍ଖ ଭବନରେ ଦଳର ନେତା ମାନଙ୍କୁ ଉଦବୋଧନ ଦେଇଛନ୍ତି।

ଲୋକ ଚେତିଲେଣି, ସରକାର ବୁଝନ୍ତୁ: ବିଜେପି ସରକାରଙ୍କ ବର୍ଷପୂର୍ତ୍ତିକୁ ନବୀନଙ୍କ କାଉଣ୍ଟର

ଭୁବନେଶ୍ୱର, ୧୦/୦୬: ବିଜେଡ଼ି ଆରମ୍ଭ କରିଛି ଜନ ଜାଗରଣ ଅଭିଯାନ। ଏ ନେଇ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି ଅବସରରେ ଦଳୀୟ ନେତାଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, “ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ। ଲୋକଙ୍କ ଇଚ୍ଛାରେ ଆମେ ଆଜି ବିରୋଧୀ ଦଳରେ ବସିଛେ। ଏବଂ ବିଜେଡି ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ କାମ କରୁଛି।

ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା। କୁହାଯାଉଛି ଲୋକଙ୍କ ସରକାର। କିନ୍ତୁ ଲୋକ କାହାନ୍ତି? କେବଳ ଲମ୍ବା ଭାଷଣ, ବଡ ବଡ ବିଜ୍ଞାପନରେ ବିକାଶ ଆସେ ନାହିଁ।

ଆମ ସରକାର ସମୟରେ ଓଡିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ। ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି। ଲୋକମାନେ ଔଷଧ ପାଉ ନାହାନ୍ତି। ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି।

ହଜାର ହଜାର ଲୋକ ହଇରାଣ। ମା’ ମାନେ ହଇରାଣ। ବୁଢା ବୁଢି ହଇରାଣ। କ୍ୟାନ୍ସର ରୋଗୀ ହଇରାଣ। ପିଲାମାନେ ହଇରାଣ। ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ଭୁଶୁଡ଼ି ପଡ଼ିଛି। ୩୦ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଲ୍ଲାରେ ସିଡିଏମଓ ପଦବୀ ଖାଲି ପଡ଼ିଛି। ଏହା ହେଉଛି ବର୍ତ୍ତମାନର ସରକାରଙ୍କ ସଫଳତା।

ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ ସଶକ୍ତ ହୋଇଥିଲେ। ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା। ବ୍ୟାଙ୍କରେ ମା’ ମାନେ ହଇରାଣ। ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ। ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ। ମା’ ମାନଙ୍କ ଆତ୍ମବିଶ୍ବାସ ଭାଙ୍ଗି ଯାଇଛି। ଏହା ହେଉଛି ଏ ସରକାରର ବଡ ସଫଳତା। ଆଜି ଏ ସରକାର ଅଛି। କାଲି ଆଉ କିଏ ଆସିବ। ଆମ ସରକାର ସମୟରେ ମିଶନ ଶକ୍ତି ଆନ୍ଦୋଳନ ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା। ତେଣୁ ମା’ ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌। ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ।

ନିର୍ବାଚନ ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ। ସବୁ ଚାଷୀ MSP ପାଇବେ। ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି। ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି? ମିଲରଙ୍କ ଦୟାରେ ଏବେ ଚାଷୀ। ସରକାରଙ୍କୁ ଭୟ ନାହିଁ। ଚାଷୀ ମାନେ କାହାକୁ ଗୁହାରୀ କରିବେ? ଚାଷୀ କୃଷି ଋଣ ପାଇବାରେ ହଇରାଣ। ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ ହୋଇଥିଲା। ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ। ଲୋକଙ୍କ ସରକାର। କିନ୍ତୁ ଲୋକ ଛାରଖାର। ଲୋକ ଚେତିଲେଣି। ସରକାର ବୁଝନ୍ତୁ।

୨୦୦୦ରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡିଶାର ଋଣ ଭାର ଥିଲା ୧୮ ହଜାର କୋଟି । ଓଭର ଡ୍ରାଫ୍ଟରେ ସରକାର ଚାଲିଥିଲା। ୨୦୨୪ରେ ଆମେ ଦାୟିତ୍ୱ ଛାଡିବା ବେଳେ ସରକାରୀ ରାଜକୋଷରେ ଅତିରିକ୍ତ ଥିଲା ୪୫ ହଜାରେ କୋଟି। କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି।

୨୦୦୫-୦୬ ରେ ଓଡିଶାର ଗରିବୀ ୬୩.୮୩% ଥିବା ବେଳେ ୨୦୨୩ ରେ ଏହା ୧୧.୦୭% କୁ ଆସିଥିଲା। ୧୦୨.୭୮ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଥିଲେ। IMR, MMR ଆଦି ସବୁ ବିକାଶ ସୂଚକରେ ଦୃଶ୍ୟମାନ ଉନ୍ନତି ଆସିଥିଲା।

ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି। ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି। ମୁଁ ଆଶା କରିବି ଏଠି ଥିବା ନେତାମାନେ ଓ ଗାଁରେ ଥିବା କର୍ମୀମାନେ ଲୋକଙ୍କ ସେବା ଜାରି ରଖିବେ।