ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ

ଭୁବନେଶ୍ୱର, ୧୦/୦୬: କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ ଓ ୨୦୨୧ ବ୍ୟାଚର IAS ଅଫିସର ଧୀମାନ ଚକ୍‌ମା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ପଦରୁ ସସପେଣ୍ଡ୍ କରାଯାଇଛି।

ସୂଚନା ଅନୁଯାୟୀ ୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଧୀମାନ ଚକମା ଗତ ୮ ତାରିଖ ରାତିରେ ବଲାଙ୍ଗୀର ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ଲାଞ୍ଚ ନେବା ଅବସ୍ଥାରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଚକମା କ୍ରସର ମାଲିକଙ୍କୁ ଭୟ ଦେଖାଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଧମକାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କ୍ରସର ମାଲିକ ଭିଜିଲାନ୍ସକୁ ଏ ବିଷୟରେ ଜଣାଇଥିଲେ। ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ, ଅଗ୍ରୀମ ୧୦ ଲକ୍ଷ ଟଙ୍କା ନେଲା ବେଳେ ଭିଜିଲାନ୍ସ ରେଡ୍ ହ୍ୟାଣ୍ଡ ଧରିଥିଲା। ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସରକାରୀ କ୍ୱାର୍ଟରରେ ଚଢାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ତାଙ୍କ କ୍ୱାର୍ଟରରୁ ନଗଦ ୪୭ ଲକ୍ଷ ଟଙ୍କା ନଗଦ ମିଳିଥିଲା, ଯାହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ବର୍ତ୍ତମାନ ସେ ଭବାନୀପାଟଣା ଜେଲ ହାଜତରେ ସାଧାରଣ କଏଦୀ ପରି ସମୟ ବିତାଉଛନ୍ତି।