ପୁରୀ, ୧୧/୦୬: ଗୋଟିଏ ପଟେ ଦେବସ୍ନାନ ପୂର୍ଣ୍ଣିମା ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାରେ ସମସ୍ତେ ଧାର୍ମିକ ମାହୋଲରେ ଥିବା ବେଳେ ପୁରୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ।
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ଟାଉନ ଥାନା ଅର୍ନ୍ତଗତ ଗୁଡିଆସାହିର ବାସିନ୍ଦା। ଆଜି ସ୍ନାନ ଯାତ୍ରା ଯୋଗୁଁ ତାଙ୍କ ପରିବାର ଲୋକେ କେହି ଘରେ ନଥିବା ବେଳେ ସେ ଏକା ଥିଲେ। ଅପରାହ୍ନରେ ତାଙ୍କ ପଡୋଶୀ ନାରାୟଣ ପାଟ୍ଟଯୋଶୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତେଣୁ ଉତକ୍ଷିପ୍ତ ହୋଇ ଜଗନ୍ନାଥଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି ନାରାୟଣ। ପରିବାର ଲୋକେ ପହଞ୍ଚି ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଘର ଅଗଣାରେ ପଡ଼ିଥିବାର ଦେଖିଥିଲେ। ଏହା ପରେ ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଅଭିଯୁକ୍ତ ଫେରାର ଥିବାରୁ ଅଭିଯୁକ୍ତର ଭାଇକୁ ଅଟକ ରଖି ପଚରାଉଚୁରା କରୁଛି। ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଛାନଭିନ୍ ଆରମ୍ଭ କରିଛି।
ତେବେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୀ ସହରରେ ଛାଉଣୀ ହୋଇଛନ୍ତି ପୋଲିସ ଫୋର୍ସ। ପୁରୀରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ କିପରି ପୋଲିସକୁ ଖାତିର ନକରି ଏଭଳି ହତ୍ୟାକାଣ୍ଡ ଘଟିଗଲା, ସେ ନେଇ ରାଜ୍ୟ ବ୍ୟାପୀ ଚାଞ୍ଚଲ୍ୟ ଖେଳି ଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଓ ଆଖପାଖ ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥିବା ସତ୍ତ୍ୱେ ସ୍ପଷ୍ଟ ଦିବାଲୋକରେ ଏହି ହତ୍ୟାକାଣ୍ଡ ସହରର ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।