ଅଜଣା ରୋଗ ଆତଙ୍କ, ସପ୍ତାହକରେ ଗଲାଣି ୫ ଜୀବନ

ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହ ମଧ୍ୟରେ ୫ ଟପିଲାଣି ମୃତ୍ୟୁ ସଂଖ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁବରଣ କଥୁଛନ୍ତି ଗ୍ରାମବାସୀ ।

ଏବେବି ଗାଁରେ ପାଖାପାଖି ୧୦ ଜଣ ଆକ୍ରାନ୍ତ ରହିଛନ୍ତି । ହେଲେ ଅନ୍ଧବିଶ୍ୱାସ ର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଟକଲିଗୁଡ଼ା,ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁଲୋକ ।

ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୪ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ବାସ୍ଥ୍ୟବିଭାଗ । ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଏବଂ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହେଊଥିବା ସଂନ୍ଦେହ କରାଯାଉଛି ।