ପ୍ରକୃତି, ପୃଥିବୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ପରମ୍ପରା ରଜ ପର୍ବ

ରଜରେ ଝୁମୁଛି ଗାଁଠୁ ସହର

ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ପାଇଁ ପ୍ରସିଦ୍ଧ ଓଡ଼ିଶା। ଏଠାରେ ୧୨ ମାସରେ ୧୩ ପର୍ବ ବୋଲି ଜଣାଶୁଣା। ପ୍ରତ୍ୟେକ ପର୍ବପର୍ବାଣୀରେ ରହିଛି ଭିନ୍ନ ଏକ ପରମ୍ପରା ଓ ଭିନ୍ନ ଏକ ଐତିହ୍ୟ। ଠିକ୍ ସେହିପରି ଓଡ଼ିଶାର କୃଷିଭିତ୍ତିକ ଗଣ ପର୍ବ ହେଉଛି ରଜ। ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଅନନ୍ୟ ପ୍ରତୀକ ହେଉଛି ରଜ। ପ୍ରକୃତି, ପୃଥିବୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ଅନନ୍ୟ ପରମ୍ପରା ହେଉଛି ରଜ ପର୍ବ।

ରଜ ତିନିଦିନ ଧରି ପାଳନ କରାଯାଏ। ଏହି ତିନି ଦିନ ମୁଖ୍ୟତଃ ଝିଅ ମାନେ ନୂଆ ବସ୍ତ୍ର ପରିଧାନ କରି ପିଠା ଖାଇ ଦୋଳି ଖେଳି ମଉଜ ମଜଲିସ କରିଥାନ୍ତି। ଏହି ତିନି ଦିନ ଝିଅମାନଙ୍କୁ କାମ କରିବାକୁ ବାରଣ କରାଯାଇଥାଏ। ଏପରିକି ମାଟି ଉପରେ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ।

ପ୍ରକୃତରେ ଏହା ଏକ କୃଷି ଭିତ୍ତିକ ପର୍ବ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ମାଟି ମାଆକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା’ ରଜସ୍ୱଳା ହୋଇଥିବାରୁ ମାଟି ମା’କୁ କଷ୍ଟ ନଦେଇ ଭୂମିକୁ ବିଶ୍ରାମ ଦିଆଯାଏ। ତେଣୁ ଏହି ତିନି ଦିନ ମାଟି ମାଆକୁ ସମ୍ମାନ ଦେଇ ହଳ କରାଯାଇନଥାଏ। ଏହି ସମୟ ମଧ୍ୟରେ, କୃଷି ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରାଯାଏ ନାହିଁ ଏବଂ ଜମିକୁ ଅଛୁଆଁ ରଖାଯାଏ। ଏପରିକି ପ୍ରକୃତିକୁ ସମ୍ମାନ ଦେଇ ଗଛରୁ ଫୁଲ ତୋଳା ହୋଇନଥାଏ। ଏହି ତିନି ଦିନ ଗଛରୁ ପତ୍ର ଓ ଫୁଲ ଛିଡାଇବା ପ୍ରକୃତି ବିରୋଧୀ ହୋଇଥାଏ। ପୌରାଣିକ କାହାଣୀ ଅନୁସାରେ, ଏହି ଦିନ ପୃଥିବୀର ପୁନର୍ଜନ୍ମ ହୋଇଥାଏ।

ରଜର ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ପହିଲି ରଜ ହେଉଛି ରଜ ପର୍ବର ପ୍ରଥମ ଦିନ, ଯାହା କି ଜୈଷ୍ଠ ମାସର ଶେଷ ଦିନରେ ପଡ଼େ। ରଜ ସଂକ୍ରାନ୍ତି ହେଉଛି ଦ୍ୱିତୀୟ ଦିନ, ଯାହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ, ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ, ଏହା ଆଷାଢ଼ ମାସର ଶୁଭାରମ୍ଭ ଅଟେ। ରଜର ତୃତୀୟ ଦିନକୁ ଭୂଦାହ କୁହାଯାଏ। ଏହାକୁ ସବୁଠାରୁ ବଡ଼ ରଜ ବୋଲି ମଧ୍ୟ କୁହାଯାଇଥାଏ। ଚତୁର୍ଥ ଦିନ ହେଉଛି ବସୁମାତା ଗାଧୁଆ। ମହିଳା ଓ ଝିଅମାନେ ମାଟି ମାଆକୁ ସମ୍ମାନ ଦେବା ପାଇଁ ହଳଦୀରେ ଏକ ସ୍ୱତନ୍ତ୍ର ସ୍ନାନ କରାନ୍ତି।

ରଜ ତିନି ଦିନ ପୁଅ ମାନେ ପାରମ୍ପରିକ କବାଡି ଓ ତାସ ଭଳି ଖେଳ ଖେଳିବା ସହ ଝିଅ ମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅଳଙ୍କାର ପିନ୍ଧି ନିଜକୁ ସଜ୍ଜିତ କରନ୍ତି ଏବଂ ଦୋଳି ଖେଳନ୍ତି। ଏହି ସମୟରେ ଝିଅମାନଙ୍କୁ ଏପରି କୌଣସି କାର୍ଯ୍ୟ କରିବାକୁ ଅନୁମତି ଦିଆଯାଏ ନାହିଁ ଯାହା ସେମାନଙ୍କୁ ଯନ୍ତ୍ରଣା ଦେଇପାରେ। ତେଣୁ ସେମାନଙ୍କୁ ରୋଷେଇ କରିବା, ଚଟାଣ ଝାଡ଼ୁ ମାରିବା, କେଶ କୁଣ୍ଡାଇବା ଇତ୍ୟାଦି କରିବାକୁ ଅନୁମତି ନାହିଁ। ପୃଥିବୀ ମାତାଙ୍କୁ ସମାନ ଗୁରୁତ୍ୱ ଦେଇ ଖାଲି ପାଦରେ ଚାଲିବାକୁ ଅନୁମତି ଦିଆଯାଏ ନାହିଁ କାରଣ ଏହା ପୃଥିବୀରେ‌ କ୍ଷତ ସୃଷ୍ଟି କରି ପୃଥିବୀ ମାତାଙ୍କୁ ଯନ୍ତ୍ରଣା ଦିଏ।

ସେହିପରି ପାରମ୍ପରିକ ଓଡିଆ ପୀଠ ବିନା ରଜ ପର୍ବ ଅସମ୍ପୂର୍ଣ୍ଣ। ଏହି ଦିନ ପୋଡ଼ ପିଠା ମୁଖ୍ୟ ହୋଇଥିବା ବେଳେ ମଣ୍ଡା ପିଠା, କାକରା ପିଠା, ଆରିସା ପିଠା, ଚନ୍ଦ୍ରକଳା ପିଠା ଏବଂ ଚକୁଳି ପିଠା ଭଳି ବିଭିନ୍ନ ପ୍ରକାରର ପିଠା ତିଆରି କରାଯାଇଥାଏ।