ବିମାନ ଦୁର୍ଘଟଣା: ୨୭୯କୁ ବଢ଼ିଲା ମୃତାହତଙ୍କ ସଂଖ୍ୟା

କିଛି ସମୟ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରେସ ବ୍ରିଫିଂ

ନୂଆଦିଲ୍ଲୀ, ୧୪/୦୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରୁଥିବା ବିମାନ ଦୁର୍ଘଟଣା ଘଟିବା ପରେ ଏଥିରେ ତତକ୍ଷଣାତ୍ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯେଉଁ ମେଡିକାଲ ହଷ୍ଟେଲ ଉପରେ ଖସି ପଡ଼ିଥିଲା ସେଥିରେ ଥିବା ୫ ଜଣ ଡ଼ାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏପର୍ଯ୍ୟନ୍ତ ୨୭୯ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି ବୋଲି ଅହମ୍ମଦାବାଦ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଡିଏନଏ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ସରକାରୀ ମୃତାହତଙ୍କ ସଂଖ୍ୟା ଚୂଡ଼ାନ୍ତ ହେବ ନାହିଁ।

ସୂଚନାଯୋଗ୍ୟ, ଗୁରୁବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ବୋଇଂ ଡ୍ରିମ୍ଲାଇନର ୭୮୭-୮ ଫ୍ଲିଟ୍ ର ଏଆଇ ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମେଡିକାଲ କଲେଜରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଏବଂ ୧୦ ଜଣ କ୍ରୁ ମେମ୍ବରଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଥିଲେ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଡାକ୍ତରଖାନାରେ ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଏବଂ ଅନ୍ୟ ଆହତମାନଙ୍କୁ ମଧ୍ୟ ଭେଟିଥିଲେ। ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଅପରାହ୍ନ ୧ଟା ୩୦ରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।