ଗଜପତି ମହାରାଜାଙ୍କ ଭାଇ ତଥା ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗ
ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ପୁରୀ, ୧୬/୦୬: ପୁରୀ ଗଜପତି ମହାରାଜାଙ୍କ ଭାଇ ତଥା ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗ ହୋଇଛି। ଅସୁସ୍ଥତା ଯୋଗୁ ୬୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ରଣାର୍ଣ୍ଣବ। ସେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ରବିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ୍ସରେ ଶୋକ ବ୍ୟକ୍ତ କରି କହିଛନ୍ତି, “ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଗଭୀର ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏହି ଅସହ୍ୟ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମାଙ୍କ ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରୁଛି।”
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି। ଏହି ଅସହ୍ୟ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧୈର୍ଯ୍ୟ ଓ ଅସୀମଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମା ର ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି।”