ନୂଆଦିଲ୍ଲୀ, ୧୬/୦୬: ଇସ୍ରାଏଲ-ଇରାନ ସଂଘର୍ଷ ଏବଂ ଡଲାର ସୂଚକାଙ୍କ ଦୁର୍ବଳ ହେବା ଦ୍ୱାରା ସୁରକ୍ଷିତ ସମ୍ପତ୍ତି ଚାହୁଁଛନ୍ତି ନିବେଶକ। ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ସୁରକ୍ଷିତ ନିବେଶ ଭାବେ ସୁନା ଓ ରୂପାର ଚାହିଦା ମଧ୍ୟ ରହୁଛି।
ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି। ଯେଉଁଥିପାଇଁ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି। ବିଶ୍ୱ ସମୁଦାୟର ଏହି ସଙ୍କଟ ବେଳେ ସୁନା ହିଁ ଏକମାତ୍ର ନିବେଶ ଯାହାକୁ ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ। ତେଣୁ ସୁନା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି।
ସମଗ୍ର ବିଶ୍ୱରେ, ବିଶେଷ କରି ଏସିଆରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ସେମାନଙ୍କର ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଏହି ବର୍ଦ୍ଧିତ କ୍ରୟ ସୁନାର ମୂଲ୍ୟକୁ ଆହୁରି ବୃଦ୍ଧି କରୁଛି।
ଗତ କାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧,୬୮୦ ଟଙ୍କା ଥିବା ବେଳେ ଆଜି ୧୭୦ ଟଙ୍କା କମି ୧,୦୧,୫୧୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୯୩,୨୦୦ ଟଙ୍କା ଥିବା ବେଳେ ଆଜି ୧୫୦ ଟଙ୍କା କମି ୯୩,୦୫୦ ଟଙ୍କା ହୋଇଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୬,୨୬୦ ଟଙ୍କା ଥିବା ବେଳେ ଆଜି ୧୨୦ ଟଙ୍କା କମି ୭୬,୧୪୦ ଟଙ୍କା ହୋଇଛି।
ଏତଦବ୍ୟତୀତ ରୂପା ଦର ୧ କେଜି ପିଛା ଗତ କାଲି ୧,୨୦,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦ ଟଙ୍କା କମି ୧,୧୯,୯୦୦ ଟଙ୍କା ହୋଇଛି।
ତେବେ ଏହି ଦର ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ଇସ୍ରାଏଲ ଓ ଇରାନ, ଇସ୍ରାଏଲ ଓ ହମାସ ଏବଂ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରୁହେ, ତାହାଲେ ସୁନା ଓ ରୂପାରେ ନିବେଶ କରିବେ ନିବେଶକ। ସେହିପରି ଡଲାରର ସୂଚକାଙ୍କ ମଧ୍ୟ ହ୍ରାସ ପାଇବା ଫଳରେ ସେୟାର ମାର୍କେଟରେ ହାହାକାର ସୃଷ୍ଟି ହେଉଛି। ଏହାବ୍ୟତୀତ ଆଗକୁ ବିବାହ ଋତୁ ପର୍ବପର୍ବାଣୀ ଆସୁଥିବାରୁ ସୁନା ଓ ରୂପାର ଭଳି ଧାତୁର ମୂଲ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି।