ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ମୁଖ୍ୟ ଅଭିଯୁକ୍ତ ଜଣା ପଡିଥିଲେ ହେଁ ଗିରଫ କରା ଯାଇନାହିଁ।

ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କେନ୍ଦୁଝର, ୧୮/୦୬: ନିକଟରେ ରଜ ସମୟରେ ଜଣେ ଯୁବତୀଙ୍କୁ ୧୦ ଜଣ ଗଣ ଦୁଷ୍କର୍ମ କରିଥିବା ମାମଲାରେ ତନାଘନା ଚାଲିଥିବା ବେଳେ ପୁଣି ଆଜି ଆଉ ଏକ ଅଘଟଣ ସାମନାକୁ ଆସିଛି।

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଲାପାଶି ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ବୁଧବାର ସକାଳେ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ପରେ ଗଣଦୁଷ୍କର୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ସଂଧ୍ୟାରେ ପୀଡ଼ିତା ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଖୋଜାଖୋଜି ପରେ ଘର ପାଖରେ ଥିବା ଏକ ଧାନ କ୍ଷେତରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।

ପଣ୍ଡାପଡ଼ା ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୭୦(୨), ୧୦୩(୧) ଓ ପୋକ୍ସୋ ଆକ୍ଟ ଧାରା ୪(୨)/୬ ରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ମୁଖ୍ୟ ଅଭିଯୁକ୍ତ ସଗୁ ନାଏକ ବୋଲି ଜଣାପଡ଼ିଥିଲେ ହେଁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ଘଟଣାସ୍ଥଳରୁ ସନ୍ଦିଗ୍ଧଙ୍କ ମୋବାଇଲ ଫୋନ୍ ଓ ପୋଷାକ ଜବତ କରାଯାଇଛି।

ପୋଲିସ କହିଛି ଯେ ସନ୍ଦିଗ୍ଧ ଯୁବକ ଜଣକ ପୀଡ଼ିତାଙ୍କ ସହ ପରିଚିତ ଥିଲା ଏବଂ ଏହି ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ଭୂମିକାକୁ ଅସ୍ୱୀକାର କରିନାହିଁ। ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ପଣ୍ଡାପଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।