ବାଲେଶ୍ବର, ୧୮/୦୬: ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ବଳିଆ ପତି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାର ନିଜ ନାବାଳିକା ଝିଅକୁ ବିବାହ କରାଇବା ପାଇଁ ମନା କରିବାରୁ ତିନି ବର୍ଷ ହେଲାଣି ସାମାଜିକ ବାସନ୍ଦ ହୋଇ ରହି ଆସୁଛନ୍ତି। ବିଗତ ବର୍ଷ ଧରି ପାଣି, ଜାଳେଣି କାଠ, ଗାଁ ମନ୍ଦିର, ସ୍ଥାନୀୟ ଦୋକାନ, ବଜାର ଓ ଚାଷ ଜମିରୁ ବଞ୍ଚିତ ହୋଇଛନ୍ତି।
ବଳିଆ ପତି ଗ୍ରାମରେ ରୁହନ୍ତି ପ୍ରଶାନ୍ତ ବାର ତାଙ୍କ ପତ୍ନୀ ଓ ଝିଅ। ସେ ଏକ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ୩ ବର୍ଷ ତଳେ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅକୁ ଜାମ୍ଭିରାଇର ଜଣେ ଯୁବକ ଅପହରଣ କରି ନେଇଥିଲେ। କିନ୍ତୁ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ହେଲେ ସେ ଘରକୁ ଫେରିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ଅପହରଣ କରିଥିବା ଯୁବକଙ୍କ ପିତାମାତା ପ୍ରଶାନ୍ତ ଓ ତାଙ୍କ ପତ୍ନୀଙ୍କୁ ଉକ୍ତ ଯୁବକଙ୍କ ସହ ଝିଅର ବିବାହ କରିବାକୁ ଚାପ ପକାଇଥିଲେ। କିନ୍ତୁ ଏଥିରେ ସହମତି ପ୍ରକାଶ କରିନଥିଲେ ପ୍ରଶାନ୍ତ। ତାଙ୍କ ଝିଅ ନାବାଳିକା ହୋଇଥିବାରୁ ସେ ଚାହୁଁଥିଲେ ତାଙ୍କ ଝିଅ ଉଚ୍ଚଶିକ୍ଷା ଗ୍ରହଣ କରୁ।
ସେବେଠାରୁ ଏହି ପ୍ରସଙ୍ଗରେ ଉଭୟ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ ପ୍ରଶାନ୍ତ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।
ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରା ନ ଯିବାରୁ କଙ୍ଗାରୁ କୋର୍ଟ ପରିବାର ଉପରେ ସାମାଜିକ ବାସନ୍ଦ ଲଗାଇଥିଲେ। ତେବେ ୩ ବର୍ଷ ତଳେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକ ଜଣକ ଏବେ ବିବାହ କରି ସାରିଛନ୍ତି। ଯୁବକଙ୍କ ବିବାହ ହୋଇ ସାରିଥିଲେ ମଧ୍ୟ ଗାଁ ଲୋକେ ପ୍ରଶାନ୍ତଙ୍କ ଉପରେ ବାସନ୍ଦ ଜାରି ରଖିଛନ୍ତି।
ଏ ନେଇ ମାନସିକ ଚାପରେ ରହୁଥିବା ପ୍ରଶାନ୍ତଙ୍କ ଝିଅ ଏବେ କଲେଜରେ ପାଠ ପଢିଲେଣି। ତେଣୁ ନିଜ ବାପା ମାଆଙ୍କୁ ନ୍ୟାୟ ଦେବାକୁ ଯାଇ ସିଙ୍ଗଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରା ଯାଉନଥିବା ଅଭିଯୋଗ ଆସିଛି। ଏ ସମ୍ପର୍କରେ ସିଙ୍ଗଲା ଥାନା ଇନ୍ସପେକ୍ଟର କମଳିନୀ ତାଣ୍ଡିଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।