ୱାଇଏମ୍ସିଏ ଭୁବନେଶ୍ୱର ପକ୍ଷରୁ ଡ୍ରାଉନିଂ ପ୍ରିଭେନ୍ସନ ସପ୍ତାହ ପାଳିତ
୧୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀଙ୍କ ଯୋଗଦାନ
ଭୁବନେଶ୍ୱର, ୧୯/୦୬: ଭୁବନେଶ୍ୱର ୱାଇଏମ୍ସିଏ ରାଜ୍ୟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବେ ତାର ସୁନାମ ରହିଛି । ଏହି ସଂସ୍ଥା ବନ୍ୟା, ବାତ୍ୟା, ମରୁଡି, ଦୁର୍ବିପାକ ଏବଂ ସର୍ବୋପରି ବସ୍ତିରେ ବାସ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରଚେଷ୍ଟା ଜାରୀ ରଖିଛି । ଜୁନ୍ ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ୱାଇଏମ୍ସିଏ ପ୍ରେକ୍ଷାଳୟରେ ଡ୍ରାଉନିଂ ପ୍ରିଭେନ୍ସନ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୱାଇଏମ୍ସିଏର ସଭାପତି ଡଃ ପୂର୍ଣ୍ଣାନନ୍ଦ ପ୍ରଧାନ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିମ୍ବାଧର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଯୁବକ ଅବସ୍ଥାରୁ ସମସ୍ତେ ସନ୍ତରଣ ଶିଖିବା ଆବଶ୍ୟକ । ସେ ୱାଇଏମ୍ସିଏର ବିଭିନ୍ନ କାର୍ଯ୍ୟକୁ ଭୂୟସିଂ ପ୍ରଶଂସା କରିଥିଲେ । ୟୁନିସେଫ୍ର ମାନା ବିଶ୍ୱାସ ନିଜର ବକ୍ତବ୍ୟରେ କହିଥିଲେ ଯେ, ଜଳର ସଂରକ୍ଷଣ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ । କିନ୍ତୁ ଅତ୍ୟଧିକ ଜଳରେ ସ୍ନାନ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ । ୱାଇଏମ୍ସିଏ ଇଣ୍ଡିଆର ସାଧାରଣ ସମ୍ପାଦକ କୋସି ଆଲେକଜାଣ୍ଡ୍ର, ଜୟଦୀପ ସରକାର, ୱାଇଏମ୍ସିଏର ଉପସଭାପତି ଅସୀମ ଦାସ, କୋଷାଧ୍ୟକ୍ଷ ଆଣ୍ଟୋନୀ ମାଥୁ, ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ, ୱାଇଏମ୍ସିଏର କାର୍ଯ୍ୟକ୍ରମ ଗୁଡିକ ସର୍ବଦା ପ୍ରଶଂସନୀୟ । ଜଳରେ ସ୍ନାନ କରିବା ସମୟରେ ସତର୍କତା ଅବଲମ୍ବନ ନକଲେ ଅନାୟସରେ ଗୋଟିଏ ଜୀବନ ହରାଇବାକୁ ପଡେ । ଭୁବନେଶ୍ୱର ୱାଇଏମ୍ସିଏର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୱାଇଏମ୍ସିଏ ବାଳିକା ମାନଙ୍କ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ଏବଂ ବାଳକ ମାନଙ୍କ ପକ୍ଷରୁ ଶେଷରେ ସଂଗୀତ ପରିବେଶଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ୱାଇଏମ୍ସିଏର କୋଷାଧ୍ୟକ୍ଷ ଆଣ୍ଟୋନୀ ମାଥ୍ୟୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।