ଭୁବନେଶ୍ୱର, ୧୯/୦୬: ଦିଲ୍ଲୀରେ ପହଞ୍ଚିଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା। ଗଣଦୁଷ୍କର୍ମ ମାମଲାରେ ଉଦବେଗ ପ୍ରକାଶ କରିଛି କଂଗ୍ରେସ। ଏହି ମାମଲାକୁ ନେଇ କଂଗ୍ରେସ ଏକ ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି। ଏହି ଦଳ ବର୍ତ୍ତମାନର ପରିସ୍ଥିତିକୁ ନେଇ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ। କଂଗ୍ରେସ ସାଧାରଣ ସମ୍ପାଦକ ଦୀପା ଦାସମୁନସିଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ତିନି ଜଣ ସାଂସଦ: ରଞ୍ଜିତ ରଞ୍ଜନ, ପ୍ରଣିତି ସିନ୍ଦେ ଏବଂ ଏସ ଜୋତିମଣି ଏବଂ ଶୋଭା ଓଜା ସାମିଲ ଅଛନ୍ତି।
ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଏହି ଦଳ ଗଠନ ଘୋଷଣା କରିଥିଲେ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବିଶେଷକରି ମହିଳା ସୁରକ୍ଷା ସମ୍ପର୍କରେ ଏହି ଦଳ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ରଖିଛି।
ଏହା ପୂର୍ବରୁ ନୂଆଦିଲ୍ଲୀରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସହ ଅଳକା ଲାମ୍ବା ଓ ମୀନାକ୍ଷୀ ବାହିନୀପତି ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଦିନକୁ ଦିନ ରାଜ୍ୟରେ ଆଇନଶ଼ଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି କହି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ସୋଫିଆ।
ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ବେଳେ ୧୦ ଜଣ ଅଭିଯୁକ୍ତ ସେମାନଙ୍କ ଫଟୋ ଉଠାଇ ବ୍ଲାକମେଲ କରିଥିଲେ। ପରେ ସେମାନଙ୍କଠାରୁ ଟଙ୍କା ନେଇ ପୁରୁଷବନ୍ଧୁଙ୍କୁ ମାଡ ମାରିବା ସହ ତାଙ୍କୁ ବାନ୍ଧି ଦେଇ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ। ଉକ୍ତ ୧୦ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ମଧ୍ୟ ଅଛନ୍ତି।
ଡିଜିପି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ବେଳାଭୂମିରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ କେସକୁ ‘ରେଡ ଫ୍ଲାଗ’ କେସ ଭାବେ ଘୋଷଣା କରାଯାଇଛି। ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର CAW ଆଣ୍ଡ CW କୁ ହସ୍ତାନ୍ତର କରାଯାଇଛି। ପୀଡିତାଙ୍କ ବୟାନ ସହ ଅଡିଓ, ଭିଡିଓ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। ଏହା ସହ ୧୦ ଜଣ ଅଭିଯୁକ୍ତଙ୍କ ଅଡିଓ ଓ ଭିଡ଼ିଓ ରେକର୍ଡ କରିବା ସହ ସେମାନଙ୍କୁ ଗିରଫ କରି ସେମାନଙ୍କ ଡିଏନଏ ସାମ୍ପଲ ନେଇଛି ସିଏଡବ୍ଲ୍ୟୁ। ଅନ୍ୟପଟେ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।