ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ
ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ୨୦/୦୬: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ ଘଟିଛି। ସେ ସମାଜ ଖବରକାଗଜର ପୂର୍ବତନ ପ୍ରକାଶକ ଓ ସମ୍ପାଦକ ଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ପରଲୋକ ଘଟିଛି।
ଏ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୋକ ବ୍ୟକ୍ତ କରି କହିଛନ୍ତି, ” ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖୂତ ଓ ମର୍ମାହତ । ସେ ଜଣେ ସାଧାରଣ, ମିଷ୍ଟଭାଷୀ ଓ ପରୋପକାରୀ ମଣିଷ ଥିଲେ । ବିଭିନ୍ନ ପଦ ପଦବୀରେ ଥାଇ ମଧ୍ଯ ତାଙ୍କର ଜୀବନଶୈଳୀ ଥୁଲା ବହୁତ ସରଳ । ଅନେକ ସମୟରେ ତାଙ୍କ ସହ ମୋର ଦେଖା ସାକ୍ଷାତ୍ ହୋଇଛି ।
‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସଂସ୍ଥାପକ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଲୋକସେବକ ମଣ୍ଡଳରେ ଯୋଗଦେଇ ଦୈନିକ ‘ସମାଜ’ର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥୂଲା ଅତୁଳନୀୟ । ଜିମ୍ସାରର ଅଧ୍ଯକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ଜଣେ ନିଷ୍ପାବାନ ବ୍ୟକ୍ତି ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ ।
ସାମ୍ବାଦିକତା, ଓକିଲାତି କରିବା ସହିତ ସମାଜସେବାରେ ସେ ଯେଉଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ତାହା ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।”