ଭୁବନେଶ୍ୱର, ୨୦/୦୬: ମୁମ୍ବାଇ ଗଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ସର୍ଭିକାଲ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି ନବୀନ। ଆସନ୍ତା ଜୁନ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବ। ଏ ନେଇ ସେ ଆଜି ମୁମ୍ବାଇ ଅଭିମୁଖେ ବାହାରିବ ଯାଇଛନ୍ତି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନବୀନଙ୍କୁ ଭେଟିବା ପାଇଁ ନେତା ଓ କର୍ମୀଙ୍କ ଭିଡ଼ ଲାଗିଥିବା ବେଳେ ହଜାର ହଜାର ଶୁଭଚିନ୍ତକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଶୁଭେଚ୍ଛୁମାନେ ଆଶା କରିଛନ୍ତି।
ଏହା ପୂର୍ବରୁ ନବୀନ ନିଜେ ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ସୂଚନା ଦେଇଥିଲେ। ନବୀନ କହିଥିଲେ, “ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମୁଁ ଚଳିତ ମାସ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ପାଇଁ ମୋର ଅସ୍ତ୍ରୋପଚାର ହେବ। ମୋର ବ୍ୟକ୍ତିଗତ ଡାକ୍ତର ଡ଼ଃ ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା ହେବ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି ଏବଂ ଆପଣମାନଙ୍କ ସେବା ଜାରି ରଖିବି।”