ଯୁଦ୍ଧରେ ଆମେରିକାର ଏଣ୍ଟ୍ରି: ଇରାନ ଉପରେ ବଡ ଏୟାର ଷ୍ଟ୍ରାଇକ

ପରମାଣୁ କେନ୍ଦ୍ରକୁ ଧ୍ୱଂସ କଲା B2 ଯୁଦ୍ଧ ବିମାନ

ତେହରାନ, ୨୨/୦୬: ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଆମେରିକାର ଏଣ୍ଟ୍ରି। ଇରାନର ୩ ପରମାଣୁ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା।

ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରି କହିଛନ୍ତି ଯେ “ଆମେରିକୀୟ ସୈନ୍ୟମାନେ ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ପରମାଣୁ କେନ୍ଦ୍ର ଉପରେ ଏକାଥରକେ ଏୟାର ଷ୍ଟ୍ରାଇକ କରିଛନ୍ତି। ଆମେରିକାର ସମସ୍ତ ବିମାନ ଇରାନ ବାୟୁ ସୀମା ବାହାରକୁ ଫେରି ଆସିଛି। ଆମେରିକାର ବିମାନ ସୁରକ୍ଷିତ ଅଛି। ଆମର ମହାନ ଆମେରିକୀୟ ଯୋଦ୍ଧାମାନଙ୍କୁ ଅଭିନନ୍ଦନ। ବିଶ୍ୱରେ ଏପରି ଅନ୍ୟ କୌଣସି ସୈନ୍ୟ ନାହିଁ ଯିଏ ଏହା କରିପାରିଥାନ୍ତା। ଏବେ ଶାନ୍ତିର ସମୟ!” ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ଆମେରିକା, ଇସ୍ରାଏଲ ଏବଂ ବିଶ୍ୱ ପାଇଁ ଏକ “ଐତିହାସିକ ମୁହୂର୍ତ୍ତ”। ଏହା ପରେ ଇରାନକୁ ଯୁଦ୍ଧ ରୋକିବାକୁ ରାଜି ହେବାକୁ ପଡ଼ିବ ବୋଲି କହିଥିଲେ।

ଇରାନର ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲକ୍ଷ୍ୟରେ ଏହି ଆକ୍ରମଣ କରିଛି ଆମେରିକା। ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ କ୍ଷେପଣାସ୍ତ୍ର ଭିତ୍ତିଭୂମିକୁ ଟାର୍ଗେଟ କରି ଇସ୍ରାଏଲ ଏକ ସପ୍ତାହରୁ ଅଧିକ ସମୟ ଧରି ଆକ୍ରମଣ ପରେ ଆମେରିକା ଏହି ଟାର୍ଗେଟ କରିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଆକ୍ରମଣ ପାଇଁ ଦୁଇଟି B2 ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା। ଆକ୍ରମଣର ପୂର୍ବ ରାତିରେ ଫୋନ୍ କଲ୍ ମାଧ୍ୟମରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ବ୍ୟକ୍ତିଗତ ଭାବରେ ଅବଗତ କରାଇଥିଲେ ଡୋନାଲ୍ଡ ଟ୍ରମ୍ପ।

ଆକ୍ରମଣ ପରେ ଟ୍ରମ୍ପ ପ୍ରେସ ମିଟ କରି କହିଛନ୍ତି, ଆମେ ଆକ୍ରମଣ ଚାହୁଁ ନଥିଲୁ। ଆମେ ସଂଘର୍ଷରେ ନୁହେଁ, ଶାନ୍ତିରେ ବିଶ୍ୱାସ କରୁ। କିନ୍ତୁ ଇରାନ ପରମାଣୁ କାର୍ଯ୍ୟକଳାପ ବନ୍ଦ ନ କରିବାରୁ ଆମେ ବାଧ୍ୟ ହେଲୁ ଆକ୍ରମଣ ପାଇଁ।

ଆମେରିକାର ଆକ୍ରମଣ ସଂକ୍ରାନ୍ତରେ ଇରାନ କହିଛିି ଯେ, ଶତ୍ରୁ ରାଷ୍ଟ୍ର ଆକ୍ରମଣ କରିଛି। ଆମେରିକାର ଆକ୍ରମଣ ଫଳରେ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥର ଅସଲ ଯୁଦ୍ଧ ଆରମ୍ଭ ହେବ ବୋଲି ଇରାନ ଚେତାବନୀ ଦେଇଛି।

ଇସ୍ରାଏଲ କହିଛିି, ଆମେରିକାର ଆକ୍ରମଣ ଐତିହାସିକ ନିଷ୍ପତ୍ତି। ତାଙ୍କ ନିଷ୍ପତ୍ତି ସାହସିକ। ପରମାଣୁ ଘାଟିରେ ଆକ୍ରମଣ ପାଇଁ ଇତିହାସ ବଦଳିବ। ଶକ୍ତି ମାଧ୍ୟମରେ ଶାନ୍ତି ଫେରିବ।