ଦିଲ୍ଲୀରେ ପ୍ରଦୂଷଣକୁ ନେଇ ବଡ଼ ବିବାଦ; ଏକ୍ୟୁଆଇ ୩୦୦୦ ପାର୍ ଦାବି

ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ କଲା ଆପ

ନୂଆଦିଲ୍ଲୀ, ୦୯/୧୧: ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ବଡ଼ ରାଜନୈତିକ ବିବାଦ। ରାଜଧାନୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇଥିବା ବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦୦ ଅତିକ୍ରମ କରିଥିବା ଦାବି କରିଛି ଆମ୍ ଆଦମୀ ପାର୍ଟି (ଆପ)। ଏଥିସହ ବିଜେପି ନେତୃତ୍ୱାଧୀନ ଦିଲ୍ଲୀ ସରକାର ପ୍ରଦୂଷଣର ପ୍ରକୃତ ତଥ୍ୟ ଲୁଚାଇବା ସହ ଏକ୍ୟୁଆଇ ରିପୋର୍ଟରେ ହେରଫେର କରୁଥିବା ଦଳ ଅଭିଯୋଗ କରିଛି। ତେବେ ସରକାରୀ ତଥ୍ୟ ଓ ମନିଟରିଂ ସଂସ୍ଥାର ରିପୋର୍ଟ ମଧ୍ୟରେ ବଡ଼ ପାର୍ଥକ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ତୀବ୍ର ହୋଇଛି।

ଆପର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ୱାଜ ସୋମବାର ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଦୀପାବଳି ରାତିରେ ଦିଲ୍ଲୀର କେତେକ ଅଞ୍ଚଳରେ ଏକ୍ୟୁଆଇ ୩୦୦୦ ପାର୍ କରିଥିବା ସେ ଦାବି କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘X’ରେ ଭିଡିଓ ସେୟାର କରିବା ସହ ସରକାରୀ ତଥ୍ୟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୌରଭ ଭରଦ୍ୱାଜଙ୍କ ଅଭିଯୋଗ ଅନୁସାରେ, ଦିଲ୍ଲୀରେ ପ୍ରଦୂଷଣ ମାପିବା ପାଇଁ ଥିବା କେତେକ ମନିଟରିଂ ଷ୍ଟେସନକୁ ବନ୍ଦ କରାଯାଇଛି। ଏହା ବଦଳରେ ସହରର ଦୂରବର୍ତ୍ତୀ ଓ ଅପେକ୍ଷାକୃତ ସବୁଜ ଅଞ୍ଚଳରେ ପ୍ରାୟ ୨୦ଟି ନୂଆ ଏକ୍ୟୁଆଇ ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଥିବା ସେ ଦାବି କରିଛନ୍ତି।

ଏହା ସହିତ ଅଧିକ ପ୍ରଦୂଷିତ ଅଞ୍ଚଳରେ ଥିବା କେତେକ ପୁରୁଣା ମନିଟରିଂ ଷ୍ଟେସନ ନିକଟରେ ପାଣି ସିଞ୍ଚନ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ମନିଟରିଂ ଯନ୍ତ୍ରରେ ପ୍ରଦୂଷଣର ମାତ୍ରା କମ୍ ରେକର୍ଡ ହେଉଛି। ଏହା ମାଧ୍ୟମରେ ଦିଲ୍ଲୀର ପ୍ରକୃତ ପ୍ରଦୂଷଣ ସ୍ଥିତିକୁ ଲୋକଙ୍କଠାରୁ ଲୁଚାଇବାକୁ ଉଦ୍ୟମ ହେଉଛି।

ଭରଦ୍ୱାଜ ଏହାକୁ ‘ଏକ୍ୟୁଆଇ ଡାଟା ଫ୍ରଡ’ ବୋଲି କହିଛନ୍ତି। ପ୍ରଦୂଷଣର ପ୍ରକୃତ ତଥ୍ୟ ଲୁଚାଇବା ଦ୍ୱାରା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ସରକାରୀ ତଥ୍ୟ ଅନୁସାରେ, ନଭେମ୍ବର ୮ ତାରିଖ ଦୀପାବଳି ଦିନ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୭୬ ରେକର୍ଡ ହୋଇଥିଲା। ଏହା ଅତି ଖରାପ ବର୍ଗରେ ରହିଥିଲା।

ଦିଲ୍ଲୀର ମୋଟ ୫୯ଟି ବାୟୁ ଗୁଣବତ୍ତା ମାପ କେନ୍ଦ୍ର ମଧ୍ୟରୁ ସନ୍ଧ୍ୟା ୭ଟା ସୁଦ୍ଧା ୧୯ଟି କେନ୍ଦ୍ରରେ ଏକ୍ୟୁଆଇ ଅତି ଗମ୍ଭୀର ବର୍ଗରେ ରହିଥିଲା। ୩୩ଟି ସେଣ୍ଟରରେ ବାୟୁର ମାନ ଅତି ଖରାପ ଏବଂ ୭ଟି ସେଣ୍ଟରରେ ‘ଖରାପ’ ବର୍ଗରେ ରେକର୍ଡ ହୋଇଥିଲା। ଜାହାଙ୍ଗୀରପୁରୀରେ ସର୍ବାଧିକ ଏକ୍ୟୁଆଇ ୪୬୦ ରେକର୍ଡ କରାଯାଇଥିଲା।

ସେହିପରି ଏୟାର କ୍ୱାଲିଟି ମନିଟରିଂ ପ୍ଲାଟଫର୍ମ AQI.inର ତଥ୍ୟ ଅନୁସାରେ, ନଭେମ୍ବର ୯ ତାରିଖ ରାତି ୧ଟା ୩୧ ମିନିଟ୍‌ରେ ଦିଲ୍ଲୀର ଏକ୍ୟୁଆଇ ୧୩୩୧ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ଆଟ ପକ୍ଷରୁ ଦାବି କରାଯାଇଥିବା ୩୦୦୦ରୁ ଅଧିକ ଏକ୍ୟୁଆଇ ତଥ୍ୟକୁ ସ୍ୱାଧୀନ ଭାବେ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇନାହିଁ।

ଦୀପାବଳି ପରେ ସୋମବାର ସକାଳେ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ସ୍ଥିତିରେ ବିଶେଷ ସୁଧାର ଦେଖିବାକୁ ମିଳିନଥିଲା। ସିପିସିବି ତଥ୍ୟ ଅନୁସାରେ, ସକାଳ ୯ଟାରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୭୦ ରହିଥିଲା। ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଥିଲା। ବୁରାରୀ କ୍ରସିଂରେ ଏକ୍ୟୁଆଇ ୪୪୧, ବିବେକ ବିହାରରେ ୪୩୭, ଡିଟିୟୁରେ ୪୩୪ ଏବଂ ଜାହାଙ୍ଗୀରପୁରୀରେ ୪୩୩ ରେକର୍ଡ ହୋଇଥିଲା। ଘନ ଧୂଆଁ ଯୋଗୁଁ ରାଜଧାନୀର ଅନେକ ଅଞ୍ଚଳରେ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥିଲା।