ଯାଜପୁର, ୨୩/୦୬: ବର୍ତ୍ତମାନ ଓଡ଼ିଶାରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଥମି ନଥିବା ବେଳେ ଯାଜପୁର ଜିଲ୍ଲାରୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଯାଜପୁରରେ ଦିଲ୍ଲୀର ଜଣେ ମହିଳାଙ୍କୁ ଦୁଇଜଣ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଦଶରଥପୁର ଥାନା ଅନ୍ତର୍ଗତ ତରଙ୍ଗସାଗରପୁର ଗାଁରେ ରହୁଥିବା ତପସ୍ୱିନୀ ଦାସଙ୍କୁ ଭେଟିବାକୁ ଆସିଥିଲେ ଦିଲ୍ଲୀର ଜନୈକା ଯୁବତୀ ପୂଜା। ପୂଜାଙ୍କୁ ଭେଟିବା ସହ ବିରାଜ ପୀଠରେ ଦର୍ଶନ ସାରି ଫେରୁଥିବା ସମୟରେ, ଉଭୟ ପୂଜା ଓ ତପସ୍ୱିନୀ ନିକଟସ୍ଥ ବସ୍ ଷ୍ଟାଣ୍ଡରୁ ଘରକୁ ଚାଲି ଚାଲି ଯାଉଥିବା ସମୟରେ ସେହି ଗାଁର ଦୁଇଜଣ ଯୁବକ ପୂଜାଙ୍କୁ ଅସଦାଚରଣ କରିଥିଲେ। ଉଭୟ ଯୁବକ ମଦ୍ୟପ ଅବସ୍ଥାରେ ଥିଲେ। ଏହି ସମୟରେ ତପସ୍ୱିନୀଙ୍କ ଭାଇ ଏବଂ ଭଣଜା ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମଦ୍ୟପ ଯୁବକମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୂଜା ଓ ତପସ୍ୱିନୀ ଦଶରଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ପୂଜା ଓ ତପସ୍ୱିନୀ।
ତେବେ ଦିନକୁ ଦିନ ଓଡ଼ିଶାରେ ଏଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।