ନୂଆଦିଲ୍ଲୀ, ୨୪/୦୬: ଜୁନ୍ ୨୫ରେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ। ଏହି ଆଇଏସଏସ ଯାତ୍ରାରେ ଶୁଭାଂଶୁ ଏବଂ ଅନ୍ୟ ୩ ମହାକାଶଚାରୀ ଏକୁଟିଆ ଯିବେନି। ବରଂ ତାଙ୍କ ସହ ଆଉ ଜଣେ ଯିବେ, ଯିଏ ହେବେ ମହାକାଶକୁ ଯିବାକୁ ଥିବା ପଞ୍ଚମ ସଦସ୍ୟ। ମହାକାଶକୁ ଜୟକୁ ସାଙ୍ଗରେ ନେଇ ଯିବେ ମହାକାଶଚାରୀ।
ଜୁନ୍ ୨୫ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍-୪ ଲଞ୍ଚ ହେବ। ଆକ୍ସିଅମ-୪ ଯିବ ଜୟ। ଜାଣିଛନ୍ତି କି ଜୟ କିଏ?
ଜୟ ହେଉଛି ଏକ ପାଞ୍ଚ ଇଞ୍ଚର, ଖେଳନା ଶିଶୁ ହଂସ ଯିଏ ଆନ୍ତର୍ଜାତୀୟ ମିଶନ ପାଇଁ ଶୂନ୍ୟ-ମାଧ୍ୟକତା ସୂଚକ ହେବାକୁ ଯାଉଛି।
ମହାକାଶକୁ ହଂସ କାହିଁକି ନେଲେ ମହାକାଶଚାରୀ?
ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପାଇଁ, ହଂସ ପଛରେ ସଂସ୍କୃତି ରହିଛି। ଭାରତୀୟ ପୌରାଣିକ କାହାଣୀରେ, ଏହା ଜ୍ଞାନର ଦେବୀ ସରସ୍ୱତୀଙ୍କ ବାହନ। ହଂସ ପାଖରେ କ୍ଷୀରକୁ ପାଣିରୁ ଅଲଗା କରିବାରେ ପୌରାଣିକ କ୍ଷମତା ଥିବା କୁହାଯାଏ, ଯାହା ବିଚକ୍ଷଣତା, ପବିତ୍ରତା ଏବଂ ଜ୍ଞାନର ପ୍ରତୀକ। ଏହି ତିନୋଟି ଆବଶ୍ୟକ କରୁଥିବା ମିଶନ୍ ପାଇଁ ଏହା ଯଥେଷ୍ଟ।
ଆକ୍ସିଅମ-୪ର ପ୍ରତ୍ୟେକ କ୍ରୁ ସଦସ୍ୟ ଭିନ୍ନ ଦେଶରୁ ଆସିଛନ୍ତି। ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାରୁ ଆସିଛନ୍ତି। ହଙ୍ଗେରୀର ମହାକାଶଚାରୀ ଟିବୋର୍ କାପୁ ହଂସର ନାମ ଜୟ ରଖିଥିଲେ।
ଉଲ୍ଲେଖଯୋଗ୍ୟ, ଜୁନ ୨୫ ତାରିଖ ମଧ୍ୟାହ୍ନ ୧୨.୦୧ରେ ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରର ଲଞ୍ଚ କମ୍ପେ୍ଲକ୍ସ ୩୯A ରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବ। ଏ ନେଇ ନାସା, ଆକ୍ସିଅମ୍ ସ୍ପେସ ଓ ସ୍ପେସ ଏକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳା। ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ ଏହି ମିଶନର କମାଣ୍ଡର ରହିବେ। ଏମାନଙ୍କ ସହ ମିଶନରେ ଯୋଗ ଦେବେ ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସାଓସ୍ଜ ଉଜନାସ୍କି ୱିନିଏସ୍କି ଏବଂ ହଙ୍ଗେରୀର ଟିବୋର କାପୁ। ଆଇଏସଏସରେ ୧୪ ଦିନ ରହିବେ ମହାକାଶଚାରୀ।