ଗଞ୍ଜାମ, ୨୮/୦୬: ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସୁଶୀଲଙ୍କ ସହ ଜଡ଼ିତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ବ୍ରହ୍ମପୁରର ରାମହରି ନଗରରେ ଥିବା ତିନି ମହଲା ବିଲ୍ଡିଂ, ବ୍ରହ୍ମପୁରର ଆଙ୍କୁଲିରେ ଥିବା ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୨୦୫, ବ୍ରହ୍ମପୁରର ଆଙ୍କୁଲିରେ ତାଙ୍କ ଭାଇଙ୍କ ନାମରେ ଥିବା ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଅନ୍ୟ ଏକ ଫ୍ଲାଟ, ଗଞ୍ଜାମର କବିସୂର୍ଯ୍ୟନଗରର ଗୁଡିଆଳି ଗାଁରେ ଥିବା ତାଙ୍କ ପୈତୃକ ଘର, ଗଞ୍ଜାମ ପୁରୁଷୋତ୍ତମପୁରର ବେଢାରେ ଥିବା ତାଙ୍କ ଶୁଶୁରଙ୍କ ଘର, ଗଞ୍ଜାମ ବ୍ଲକରେ ଥିବା କାର୍ଯ୍ୟାଳୟ ଓ ପୁରୀର ଚୂଡଙ୍ଗ ସାହିରେ ଥିବା ଫ୍ଲାଟରେ ଚଢ଼ାଉ ଜାରି ରହିଛି। ଚଢାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ।
ଚଢ଼ାଉରେ ୬ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି।